ପରମ୍ପରା ରକ୍ଷା ପାଇଁ ନୀରଜ ବି ନେଲେ ଯୌତୁକ, ହେଲେ ହୋଇଗଲେ ୧ ଟଙ୍କାରେ ସନ୍ତୁଷ୍ଟ

ଗାଡ଼ି ମଟର, ଧନ ସମ୍ପତ୍ତି କିଛି ବି ନେଲେ ନାହିାଁ ମାତ୍ର ୧ ଟଙ୍କା ନେଇ ଟେନିସ୍ ଖେଳାଳୀ ହିମାନୀ ମୋରଙ୍କୁ କଲେ ବିବାହା ପରମ୍ପରା ରକ୍ଷା କରି ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନୂଆଦିଲ୍ଲୀ: ପରିଚୟ ସାଉଁଟିଥିବା ହରିୟାଣାର ଶାନ୍ ନୀରଜ ଚୋପ୍ରାଙ୍କୁ କିଏ ବା ନ ଜାଣେ । ଅଲମ୍ପିକ୍ସରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଏଯାଏଁ ଭୁଲିପାରୁନାହାଁନ୍ତି ।

ସବୁବେଳେ ନିଜ କ୍ୟାରିୟର୍‌, ଖେଳକୁ ନେଇ ଚର୍ଚ୍ଚାରେ ରହୁଥିବା ନୀରଜ୍ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ନୀରଜଙ୍କ ଚର୍ଚ୍ଚିତ ବିବାହ: ଜାନୁଆରୀ ୧୭ ତାରିଖରେ ହିମାନୀ ମୋର୍ ନାମକ ଯୁବତୀଙ୍କୁ ବିବାହ କରିଛନ୍ତି ସୁନାପୁଅ ନୀରଜ୍ ।

ନିଜ ପ୍ରେମକୁ ନେଇ ଚର୍ଚ୍ଚିତ ହୋଇନଥିବା ନୀରଜ ଏବେ ସିଧା ବିବାହ କରି ଫ୍ୟାନ୍ସଙ୍କୁ ଚକିତ କରିଛନ୍ତି । ସେ ନିଜ ବିବାହର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସ ଏବଂ ମିଡିଆକୁ ଏନେଇ ସୂଚନା ଦେଇଛନ୍ତି ।

ବନ୍ଧୁତ୍ୱରୁ ବିବାହ: ଟେନିସ୍ ଖେଳାଳୀ ହିମାନୀ ମୋରକୁ ସାତ ଜନ୍ମର ସାଥି କରିଥିବା ନୀରଜଙ୍କ ମା’ କୁହନ୍ତି , ଦୁଇ ପରିବାର ୭ ରୁ ୮ ବର୍ଷ ହେଲା ଭଲ ବନ୍ଧୁତ୍ୱରେ ଥିଲେ । ପରବର୍ତ୍ତୀ ସମୟରେ ଏହି ବନ୍ଧୁତ୍ୱକୁ ଆଗକୁ ନେବା ପାଇଁ ଚିନ୍ତା ପ୍ରକାଶ କଲେ ।

ପରିବାରର ପସନ୍ଦରେ ଗ୍ରୀନ୍ ସିଗନାଲ୍ ଦେଖାଇଲେ ଉଭୟ ନୀରଜ୍ ଏବଂ ହିମାନୀ । ପ୍ରେମବିବାହ ନ ହୋଇଥିଲେ ହେଁ ଉଭୟ ବର-କନ୍ୟା ପୂର୍ବରୁ ହିଁ ପରସ୍ପରକୁ ଜାଣିଥିଲେ । ହରିୟାଣା ରୀତିନୀତିରେ ଉଭୟଙ୍କ ବିବାହ ହିମାଚଳରେ ହୋଇଥିଲା ।

ଏକ ଟଙ୍କା ଯୌତୁକ: ଦୁଇ ପରିବାର ଏବଂ ସଂପର୍କୀୟଙ୍କୁ ଛାଡ଼ି ଦେଲେ ବିବାହ ବିଷୟରେ ଆଉ କେହି ଜାଣି ନଥିଲେ ।

ବାହାଘରକୁ ନେଇ ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କୁହନ୍ତି, ଉଭୟ ପରିବାର ବିବାହକୁ ଗୁପ୍ତ ରଖିବାକୁ ଚାହୁଁଥିଲେ ।

କିନ୍ତୁ ରୀତିନୀତି ଅନୁସାରେ ସଗୁନ୍ ଅର୍ଥାତ୍ ଯୌତୁକ ପାଇଁ ନୀରଜ୍ କେବଳ ଏକଟଙ୍କା ଶ୍ୱଶୁର ଘରୁ ନେଇଆସିଥିଲେ ।

ଏତେ ବଡ଼ ଷ୍ଟାର୍ ଜାଭଲିନ୍ ଥ୍ରୋଅର୍ ବିବାହରେ ଏକଟଙ୍କା ଯୌତୁକ ଆଣିବା ବିଷୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ୟୁଜର୍ସଙ୍କ କମେଣ୍ଟ: ସୋସିଆଲ୍ ମିଡିଆରେ ୟୁଜର୍ସ କହୁଛନ୍ତି, ନୀରଜଙ୍କ ପରି ଜ୍ୱାଇଁ ପ୍ରତିଟି ଶାଶୁ ଶ୍ୱଶୁରଙ୍କୁ ମିଳୁ ।

ଆଜିର ସମୟରେ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନୀରଜଙ୍କ ଏଭଳି ବଡ଼ପଣ ସମାଜକୁ ପ୍ରେରଣା ଯୋଗାଇବ ବୋଲି ଆଶା ।