fbpx

କିଏ ହେବେ ଦେଶର ପରବର୍ତ୍ତୀ ସିଡିଏସ, ଜାଣନ୍ତୁ ଦୌଡରେ କେଉଁ କେଉଁ ଅଧିକାରୀ ଅଛନ୍ତି

ନୂଆଦିଲ୍ଲୀ : ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତଙ୍କ ଦେହାନ୍ତ ପରେ ପରବର୍ତ୍ତୀ ସିଡିଏସ କିଏ ହେବ ତାକୁ ନେଇ ପ୍ରସ୍ତୁତି ଜୋର ଧରିଛି। ତିନି ସେନାର ସୁପାରିଶ ତାଲିକାକୁ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରାଯିବ । ଜେନେରାଲ ବିପିନ ରାଓ୍ଵତଙ୍କ ଉତ୍ତରାଧିକାରୀ ଚୟନ ପାଇଁ ସ୍ଥଳସେନା, ନୌସେନା ଓ ବାୟୁସେନାର ବରିଷ୍ଠ କମାଣ୍ଡରଙ୍କୁ ନେଇ ଗଠିତ କମିଟି ତାଲିକାକୁ ଅନ୍ତିମ ରୂପ ଦେଉଥିବା ଜଣେ ଅଧିକାରୀ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ମଞ୍ଜୁରୀ ପରେ ନୂତନ ସିଡିଏସଙ୍କ ନିଯୁକ୍ତି ପାଇଁ ଚୂଡାନ୍ତ ନାମ ମନ୍ତ୍ରିମଣ୍ଡଳର ନିଯୁକ୍ତ କମିଟି ନିକଟକୁ ପଠାଯିବ। ତେବେ ସ୍ଥଳସେନା ମୁଖ୍ୟ ଏମଏମ ନରଓ୍ଵଣେ ସିଡିଏସ ପଦ ଦୌଡରେ ଆଗରେ ଅଛନ୍ତି। ତାଙ୍କର ଅନୁଭବ ଏବଂ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ସେନାର ଏହି ଶୀର୍ଷ ପଦରେ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି। ସେନାଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଏପ୍ରିଲରେ ସରିବାକୁ ଯାଉଛି।

ଯଦି ଜେନେରାଲ ନରଓ୍ଵଣେ ସିଡିଏସ ନିଯୁକ୍ତ ହୁଅନ୍ତି ତେବେ ତାଙ୍କର ଉତ୍ତରାଧିକାରୀ ଉପରେ ମଧ୍ୟ ବିଚାର କରିବାକୁ ପଡିବ। ସ୍ଥଳସେନା ଉପ ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଓ ନଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଯୋଶୀ ସ୍ଥଳସେନା ପ୍ରମୁଖ ପାଇଁ ପ୍ରବଳ ଦାବିଦାର। ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଓ ଲେଫ୍ଟନାଣ୍ଟ ଯୋଶୀ ଗୋଟିଏ ବ୍ୟାଚର ଅଧିକାରୀ। ଜେନେରାଲ ନରଓ୍ଵଣେଙ୍କ ପରେ ଉଭୟ ସେନା ଅଧିକାରୀ ବରିଷ୍ଠତମ କମାଣ୍ଡର।

ସୂଚନାଯୋଗ୍ୟ, ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସମେତ ୧୩ ଜଣ ସେନା ଅଧିକାରୀ ଓ କର୍ମଚାରୀଙ୍କ ଦେହାନ୍ତ ଘଟିଥିଲା। ଘଟଣାରେ ଜୀବିତ ଏକ ମାତ୍ର ବ୍ୟକ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ବୁଧବାର ପରଲୋକ ଘଟିଛି।

Get real time updates directly on you device, subscribe now.