fbpx

ସାଣ୍ଟନରଙ୍କ ‘ପଞ୍ଝା’ରେ ଫସିଗଲା ନେଦରଲାଣ୍ଡ: ବିଶ୍ୱକପରେ ନ୍ୟୁଜିଲାଣ୍ଡର ଲଗାତାର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଉଦଘାଟନୀ ମ୍ୟାଚରେ ପୂର୍ବ ଚମ୍ପିଆନ୍ ଇଂଲଣ୍ଡକୁ ମାତ୍ ଦେବା ପରେ ଆଜି ନେଦରଲାଣ୍ଡକୁ ଚକମା ଦେଇଛି କିୱି ସେନା । ଆଜିର ମ୍ୟାଚରେ ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ସାଣ୍ଟନର ରୌଦ୍ର ରୂପ ଧାରଣ କରିଛନ୍ତି । ସାଣ୍ଟନରଙ୍କ ପଞ୍ଝାରେ ଫସିଯାଇଛି ନେଦରଲାଣ୍ଡ ଟିମ୍ । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥାନ ବଜାୟ ରଖିଛି ।

୩୨୩ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲେ ବିକ୍ରମଜିତ ସିଂହ ଏବଂ ମ୍ୟାକ୍ସ ଓଡାଉଡ । କିନ୍ତୁ ଏହି ଯୋଡ଼ି ନ୍ୟୁଜିଲାଣ୍ଡ ବୋଲର ଆଗରେ ଅଧିକ ସମୟ ତିଷ୍ଠି ପାରି ନଥିଲା । ଷଷ୍ଠ ଓଭରରେ ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ମିଳିଥିଲା, ଏହାପରେ ନିୟମିତ ଅନ୍ତରାଳରେ ୱିକେଟ ହରାଇଛି ନେଦରଲାଣ୍ଡ । ତେବେ ନ୍ୟୁଜିଲାଣ୍ଡ ସ୍ପିନ ଅଲରାଉଣ୍ଡର ମିଚେଲ ସାଣ୍ଟନର ନେଦରଲାଣ୍ଡ ବିପକ୍ଷରେ କମାଲ କରି ଦେଖାଇଛନ୍ତି । ୧୦ ଓଭରରେ ୫୯ ରନ୍ ବ୍ୟୟ କରିଥିବା ବେଳେ ନେଦରଲାଣ୍ଡର ୫ ଜଣ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ଏହି ତାଲିକାରେ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ସମେତ ମାକ୍ସ ଓଡାଉଡ, କଲିନ୍ ଆକରମାନ୍, ରୋଲଫ ମେରୱି ଏବଂ ରିଆନ୍ କ୍ଲେନ ସାମିଲ ରହିଛନ୍ତି ।

ସାଣ୍ଟନରଙ୍କ ବ୍ୟତୀତ ମାଟ୍ ହେନରୀ ଏହି ମ୍ୟାଚରେ ୩ଟି ସଫଳତା ହାସଲ କରିଛନ୍ତି ଏବଂ ରଚିନ୍ ରବିନ୍ଦ୍ର ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ କଲିନ୍ ଆକରମାନ୍ ଦଳ ପକ୍ଷରୁ ସର୍ବାଧିକ ୬୯ ରନ୍ କରିଥିବା ବେଳେ ଅନ୍ୟ କେହି ବେଶୀ ସମୟ ପଡ଼ିଆରେ ରହିପାରି ନାହାନ୍ତି । ଫଳରେ ମ୍ୟାଚକୁ ୯୯ ରନରେ ପରାସ୍ତ ହୋଇଛି ନେଦରଲାଣ୍ଡ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡୱାର୍ଡସ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ଦେଇଥିଲେ ନ୍ୟୁଜିଲାଣ୍ଡର ଷ୍ଟାର ଓପନର ଡିଭନ୍ କନୱେ ଏବଂ ୱିଲ ୟଙ୍ଗ । ଏହାପରେ ରଚିନ୍ ରବିନ୍ଦ୍ର ମଧ୍ୟ ବିସ୍ପୋରକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଆଡ଼କୁ ଆଗେଇ ନେଇଥିଲେ । ଅଧିନାୟକ ଟମ୍ ଲାଥମ ଏବଂ ଡାରିଲ ମିଚେଲ ମଧ୍ୟ ନେଦରଲାଣ୍ଡର ବୋଲରଙ୍କୁ ଟାର୍ଗେଟ କରି ଦ୍ରୁତ ବେଗରେ ରନ୍ ସଂଗ୍ରହ କରିଥିଲେ । ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ୪ଟି ଅର୍ଦ୍ଧଶତକ ସହ ନେଦରଲାଣ୍ଡକୁ ୩୨୩ ରନର ବିଶାଳ ଲକ୍ଷ୍ୟ ଦେଇଥିଲା ନ୍ୟୁଜିଲାଣ୍ଡ । ଯାହାକୁ ହାସଲ କରିବା ନେଦରଲାଣ୍ଡ ପକ୍ଷରେ ସମ୍ଭବ ହୋଇନାହିଁ ।

Get real time updates directly on you device, subscribe now.