fbpx

CTSRE-2024: ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ଆସିଲା ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମାର୍ଚ୍ଚ ୧୪ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ବି ପଦ/ସେବାରେ ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟର (ସିଭିଲ) ଓ ଜୁନିୟର ମୋଟର ଯାନ ଇନ୍ସପେକ୍ଟର ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟର ୩ଟି ବିଭାଗ (୧) ଇଞ୍ଜିନିୟର-ଇନ-ଚିଫ୍ (ପବ୍ଲିକ ହେଲଥ) ଓଡ଼ିଶା, ଭୁବନେଶ୍ୱର, (୨) ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା, କଟକ, (୩) ରାଜ୍ୟ ପରିବହନ ଅଥରିଟି, ଓଡ଼ିଶା, କଟକରେ ଏହି ପଦ ପୂରଣ ହେବ ।

ତେବେ ଏହି ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୁଖ୍ୟ ଲିଖିତ ପରୀକ୍ଷା (ଟେକ୍ନିକାଲ ପେପର)ର ଅବଧିକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏଥିପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ତାହାକୁ ବାଦ୍ ଦିଆଯାଇଛି । ତେଣୁ ବୈଷୟିକ ପେପରର ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଆୟୋଗଙ୍କ ତରଫରୁ ଆଗକୁ ସମୟ ଧାର୍ଯ୍ୟ କରାଯିବ । ଏନେଇ ପ୍ରାର୍ଥୀଙ୍କୁ ସୂଚିତ କରାଇ ଦିଆଯିବ ବୋଲି କୁହାଯାଇଛି ।

ଏହି ସମସ୍ତ ପଦ ପାଇଁ ଏପ୍ରିଲ ମାସ ୨ରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ସମାପ୍ତ ହେବ । ମେ’ ୪ ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ମେ’ ୭ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ରହିଛି । ମୋଟ ୩୮୧ଟି ପଦ ପୂରଣ ହେବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।
ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । କନିଷ୍ଠ ସିଭିଲ ଯନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିଥିବେ । ସେହିପରି ଜୁନିୟର ମୋଟର ଯାନ ଇନ୍ସପେକ୍ଟର ପଦ ପାଇଁ ପ୍ରାର୍ଥୀ ଅଟୋମୋବାଇଲ ଇଞ୍ଜିନିୟରିଂ କିମ୍ବା ମେକାନିକାଲ ଇଞ୍ଜିନିୟରିଂରେ ୩ ବର୍ଷିଆ ଡିପ୍ଲୋମା କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.