ଭୁବନେଶ୍ବର: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ୍ ଲିମିଟେଡ଼ ପ୍ରସ୍ତୁତ “ହାଫ୍ ଲଭ୍ ଷ୍ଟୋରୀ” ଚଳଚ୍ଚିତ୍ର ଓଡ଼ିଶାର ୨୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । କଟକସ୍ଥିତ ବୃନ୍ଦାବନ ସିନେମା ହଲରେ ଏହାର ପ୍ରିମିୟର ଶୋ’ ରେ ଭରପୁର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଚଳଚ୍ଚିତ୍ରର କ୍ରିଏଟିଭ ହେଡ଼ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ । ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ସେହିପରି ନୃତ୍ୟ ନିର୍ଦ୍ଦେଶନା ଅମିତ ନାୟକ ଦେଇଥିବା ବେଳେ ପୋଷ୍ଟ ପ୍ରଡ଼କସନ ସୃଜନ ଫିଲ୍ମ୍ସ ।
ଫିଲ୍ମର କାହାଣୀ ମଧ୍ୟ ବେସ୍ ମନ ମୁଗ୍ଧକର ହୋଇଛି । ଗୋଟିଏ ମଫସଲ ଗାଁର ପୁଅ କିପରି ଏକ ଝିଅ ପ୍ରେମରେ ପଡି ବାହାଘର ପାଇଁ ଯିଦି ଧରୁଛି ଏବଂ ପରେ ସେ ଏକ ଝିଅ ନୁହେଁ ଆତ୍ମା ବୋଲି ଜଣାପଡୁଛୁ । ଏକ ମଫସଲ ଗାଁର ବାପା ମାଆ ଛେଉଣ୍ଡ ଯୁବକ ଶିବୁ ଗାଁରେ ଏକ ଚାଉଳ ଦୋକାନ କରିଥିବା ବେଳେ ପଡୋଶୀ ଗାଁର ଏକ ଝିଅ ସହିତ ପ୍ରେମ ହୋଇଛି । ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଥିବା ବେଳେ ଝିଅ ମଧ୍ୟ ରାଜି ହୋଇଯାଇଛି । ମାମୁଁ, ମାଇଁ ଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି । ତଥାପି ମାମୁଁ ମାଇଁ ଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି । ପରେ ସେମାନେ ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣ ଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂକୁ ନେଇ ମାମୁଁ ଘରକୁ ଆସିଛି । ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ, ପୁଣି ବିରକ୍ତ ହୋଇଛନ୍ତି ମାମୁଁ ଓ ମାଇଁ । ଶିବୁ ମନ୍ଦିର ନନାଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅକୁ ଦେଖିଛନ୍ତି କି? ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ । ଶେଷରେ ଫ୍ଲାସବ୍ୟାକରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା । କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି । ଯାହା ଦର୍ଶକ ପ୍ରେକ୍ଷାଳୟରେ ଜାଣିବାକୁ ପାଇବେ l
ତେବେ ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି ।
ଶିବୁ ଭୂମିକାରେ ନବାଗତ ସୁନୀଲ କୁମାର ଏବଂ ନାୟିକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ଅଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି । ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା ।
ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ରକୁ ଦର୍ଶକ ଢେର ଭଲ ପାଇବା ଦେଇଆସିଛନ୍ତି । ହାଫ୍ ଲଭ୍ ଷ୍ଟୋରୀକୁ ମଧ୍ୟ ବଡ଼ ପରଦାରେ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ପ୍ରଡକସନ ସଂସ୍ଥା ପୂର୍ବରୁ ଦେବଦାସ, ବ୍ୟାଡଗାର୍ଲ, ଧର୍ମ, ଭୈରବ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇସାରିଛନ୍ତି ।