fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଘରୋଇ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଖୋଲିବ ନୂଆ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ କଲେଜ । ଏଥିସହିତ କଲେଜଗୁଡ଼ିକରେ ଆବଶ୍ୟକ ସ୍ଥଳେ ନୂଆ କୋର୍ସ ମଧ୍ୟ ସାମିଲ କରାଯାଇପାରିବ । ୨୦୨୦-୨୧ ଶିକ୍ଷାବର୍ଷଠାରୁ ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ଡିଗ୍ରୀ ଓ ପ୍ରଫେସନାଲ ଘରୋଇ କଲେଜ ନ ଖୋଲିବାକୁ ଗତ ୨୦୧୯ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମାତ୍ର ଏବେ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନୂଆ ନିଷ୍ପତ୍ତି ନେଇଛି ।

ଉଚ୍ଚ ଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି ପରେ ଏଣିକି ରାଜ୍ୟରେ ପୁଣି ଥରେ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲି ପାରିବ । କିଛି ଅଞ୍ଚଳରେ ଶିକ୍ଷାଗତ ଆବଶ୍ୟକତା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏହି ନୂଆ ପଦକ୍ଷେପ ନିଆଯାଇଛି । ତେବେ ରାଜ୍ୟରେ ଗୋଟିଏ ପଟେ ସରକାରୀ କଲେଜରେ ୟୁଜି ଓ ପିଜି ସିଟ୍ ଖାଲି ପଡ଼ିଥିବା ବେଳେ ଅନ୍ୟପଟେ କିପରି ଘରୋଇ କଲେଜ ଖୋଲିବାକୁ ଅନୁମତି ଦିଆଗଲା ସେନେଇ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି ।

ତେବେ ଏହି ନୂଆ କଲେଜ ଖୋଲିବା ପରେ ସିଟ୍ ସଂଖ୍ୟା ବୃଦ୍ଧି, ନୂଆ କୋର୍ସ ନେଇ ଅନୁମତି ମିଳିବ । ଆବେଦନ ଆସିଲେ ଏହାକୁ ଯାଞ୍ଚ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଳିତ ଯାଞ୍ଚ କମିଟିରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ୟୁନିଭରସିଟିର ଜଣେ ମେମ୍ବର ରହିବେ । ଆବେଦନ କରାଯିବାର ୧୫ ଦିନ ମଧ୍ୟରେ ଯାଞ୍ଚ କରାଯିବ । ସରକାରଙ୍କ ଅନୁମତି ପାଇବା ପରେ ଅନେକ କଳେଜ ଆଫିଲିଏସନ ପାଇଁ ଆବେଦନ କରୁନାହାନ୍ତି । ତେଣୁ ଅନୁମତି ପାଇବା ସମୟରେ କଲେଜଗୁଡ଼ିକୁ ଏଥିପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.