fbpx

ନୂଆ Traffic Rule! ଏଣିକି ଫାଇନ୍ ନୁହେଁ, ସିଧା କୋର୍ଟ ଯିବେ ଅମାନିଆ ଗାଡ଼ି ଚାଳକ:

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ସେଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ବିଶେଷ କରି କଟକ ଓ ଭୁବନେଶ୍ୱରରେ ଏବେଠାରୁ ଗହଳି ଆରମ୍ଭ ହୋଇ ଗଲାଣି । ଟ୍ୱିନ ସିଟିରେ ପାର୍ବଣ ସମୟରେ ସାଧାରଣତଃ ସଂଧ୍ୟା ସମୟରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ । ତେଣୁ ରାସ୍ତାଘାଟ ଜାମ୍ ହେବା ସହ ଯାତାୟତରେ ଖୁବ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ନିଶାସକ୍ତ ଅବସ୍ଥାରେ ଅନେକ ଲୋକଙ୍କ ବେପରୁଆ ଗାଡ଼ି ଚାଳନା କାରଣରୁ ଦୁର୍ଘଟଣା ମଧ୍ୟ ଘଟିଥାଏ । ତେଣୁ ଚଳିତବର୍ଷ ଏହିସବୁ କାଯ୍ୟକଳାପକୁ ରୋକିବା ପାଇଁ ପ୍ରୟାସ କରୁଛି କମିଶନରେଟ୍ ପୋଲିସ୍ । ସେଥିପାଇଁ ଅମାନିଆ ଡ୍ରାଇଭରଙ୍କୁ ଏବେଠାରୁ ଚେତାବନୀ ଦେଇ ତାଗିଦ କରିବା ସହ ଟ୍ରାଫିକକୁ କଡ଼ାକଡ଼ି କରାଯାଇଛି ।

ନିୟମ ଭାଙ୍ଗିଲେ କ’ଣ କାର୍ଯ୍ୟାନୁଷ୍ଠାନ?

ପାର୍ବଣ ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକମାନଙ୍କ ଉପରେ ରହିଛି ପୋଲିସର ନଜର । ସେମାନଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ତେଣୁ ରଙ୍ଗରୁଟ୍ ରେ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବ ତାଗିଦ୍ କରିଛି ପୋଲିସ । ଏହାପରେ ମଧ୍ୟ ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫାଇନ୍ ନୁହେଁ, ଏବେ ସିଧା କୋର୍ଟକୁ ମାମଲା ପଠାଯିବ । ଗାଡ଼ି ଆଣିବା ପାଇଁ ହେଲେ ମାଲିକଙ୍କୁ କୋର୍ଟଙ୍କ ଅନୁମତି ଆଣିବାକୁ ପଡ଼ିବ । ତେବେ ପାର୍ବଣ ଏବଂ ଏହି ସମୟରେ ହେଉଥିବା ଭିଡ଼କୁ ଦେଖି ଗତ ୭ ଓ ୮ ତାରିଖରେ ରାଜଧାନୀରେ ଟ୍ରାଫିକ୍ ପୋଲିସ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍ କରାଯାଇଥିଲା ।

ଏହି ଡ୍ରାଇଭରେ ଟ୍ୱିନ ସିଟିର ମୋଟ ୨୨୦ ଜଣ ଅମାନିଆ ଗାଡ଼ି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେଣୁ ଆଗକୁ ପାର୍ବଣ ଋତୁରେ ମଧ୍ୟ ଏହି ସ୍ପେଶାଲ ଡ୍ରାଇଭ ଜାରି ରହିବା ନେଇ ଟ୍ରାଫିକ୍ ଏସିପି ଜୟନ୍ତ କୁମାର ଦୋରା ସୂଚନା ଦେଇଛନ୍ତି । ପାର୍ବଣରେ ଭିଡ଼କୁ ନିୟନ୍ତ୍ରଣ ଲାଗି କମିଶନରେଟ୍ ପୋଲିସ ‘ଡ୍ରିଙ୍କ ଆଣ୍ଡ ଡ୍ରାଇଭ’ ଉପରେ କଡ଼ା ନଜର ରଖିବେ । ନିଶାସକ୍ତ ଅବସ୍ଥାରେ ଲୋକଙ୍କ ବେପରୁଆ ଗାଡ଼ି ଚାଳନା କାରଣରୁ ଅନେକ ସ୍ଥାନରେ ଦୁର୍ଘଟଣା ହୋଇଥାଏ । ସେଥିପାଇଁ ଅମାନିଆ ଡ୍ରାଇଭରଙ୍କୁ ଚେତାବନୀ ଦେଇଛନ୍ତି କମିଶନରେଟ୍ ପୋଲିସ୍ ।

Get real time updates directly on you device, subscribe now.