fbpx

ମହାରାଷ୍ଟ୍ର ରାଜନୀତି: ରାତି ୧୦ଟା ପରେ ଶାହଙ୍କୁ ଗୋପନରେ ଭେଟିଛନ୍ତି ଫଡନବିସ-ଏକନାଥ, ଏହା ସତ ନା ଗୁଜବ

ନୂଆଦିଲ୍ଲୀ: ଗତ ୫ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟକ୍କର ଦେଇ ଆଜି ଜିରୋରୁ ହିରୋ ପାଲଟି ଯାଇଛନ୍ତି ଶିବସେନା ନେତା ଏକନାଥ ଶିନ୍ଦେ । ତେବେ ଏହା ମଧ୍ୟରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଉଦ୍ଧବଙ୍କ ବିରୋଧରେ ରଣହୁଙ୍କାର ଦେବାକୁ ଏକନାଥଙ୍କ ଏତେ ସାହାସ ଆସିଲା କେଉଁଠୁ? ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଚକ୍ରାନ୍ତ କରୁଛି ବୋଲି ପୂର୍ବରୁ କିଛି ନେତା ବୟାନବାଜୀ କରିସାରିଛନ୍ତି ।

ତେବେ କୁହାଯାଉଛି, ଗତ ଶୁକ୍ରବାର ରାତି ୧୦.୩୦ରେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍-ଏକନାଥ ମୁମ୍ବାଇ ଏୟାରପୋର୍ଟରେ ଦେଖା ସାକ୍ଷାତ ହୋଇଥିଲେ । ଏହାପରେ ଏକ ପ୍ରାଇଭେଟ ଜେଟରେ ଦୁହେଁ ଗୁଆହାଟୀରୁ ବଦୋଦରା ଯାତ୍ରା କରିଥିଲେ । ଏହାପରେ ଶନିବାର ଦିନ ସକାଳ ପାଖାପାଖି ୬.୪୫ରେ ଦୁହେଁ ଗୁଆହାଟୀ ଫେରିଆସିଥିଲେ ।

ତେବେ ଏକ ସୂତ୍ର ମୁତାବକ, ଶୁକ୍ରବାର ରାତି ୧୦ଟା ଠାରୁ ସକାଳ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଅମିତ ଶାହ ବଦୋଦରାର ସର୍କିଟ୍ ହାଉସରେ ରହିଥିଲେ । ତେବେ ଫଡନବିସ ଓ ଏକନାଥ ବିଜେପିର ଚାଣକ୍ୟଙ୍କୁ ସାକ୍ଷାତ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଫଡନବିସ-ଏକନାଥଙ୍କ ସାକ୍ଷାତ ପରେ ଉଦ୍ଧବଙ୍କ ଆସନ ଏବେ ବିପଦରେ ରହିଥିବା ଚର୍ଚ୍ଚା ହେଉଛି । ବିଜେପି ସହ ମିଶି ଶିବସେନା ସରକାର ଗଠନ କରୁ ବୋଲି ଏକନାଥ ଚାହୁଁଛନ୍ତି ।

ଅନ୍ୟପଟେ ଉଦ୍ଧବ କହିଛନ୍ତି, ଶିନ୍ଦେ ପୂର୍ବରୁ ନାଥ ଥିଲେ ମାତ୍ର ଏବେ ଦାସ ପାଲଟି ଯାଇଛନ୍ତି । ଯଦି ଏକନାଥଙ୍କର ସାହସ ଅଛି, ତେବେ ନିଜ ପିତାଙ୍କ ନାମରେ ଭୋଟ ମାଗି ଦେଖନ୍ତୁ । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀତିକୁ ନେଇ ଶିବ ସୈନିକମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ପରିସ୍ଥିତିକୁ ଦେଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି ।

Get real time updates directly on you device, subscribe now.