fbpx

ପୁଣି କନ୍ଦାଇବାକୁ ଯାଉଛି ପିଆଜ; କଟକଣା ସତ୍ତ୍ୱେ ୬ ଟି ଦେଶକୁ ରପ୍ତାନି ପାଇଁ ଅନୁମତି

ନୂଆଦିଲ୍ଲୀ: ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗତବର୍ଷ ଡିସେମ୍ବର ୮ତାରିଖରୁ ଭାରତରୁ ପିଆଜ ରପ୍ତାନି ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ସରକାର ଏହାକୁ ଟିକିଏ କୋହଳ କରି ପିଆଜ ରପ୍ତାନିକୁ ଅନୁମତି ଦେଇଛନ୍ତି। ଭାରତ ଏବେ ୬ଟି ପଡ଼ୋଶୀ ଦେଶକୁ ପିଆଜ ରପ୍ତାନି କରିବ। ଏହା ପୂର୍ବରୁ ମଧ୍ୟପ୍ରାଚ୍ୟ ଏବଂ କିଛି ୟୁରୋପୀୟ ଦେଶକୁ ୨୦୦୦ ଟନ୍ ଧଳା ପିଆଜ ରପ୍ତାନି ପାଇଁ ସରକାର ଅନୁମତି ଦେଇଥିଲେ।

ପିଆଜ ଦରନିୟନ୍ତ୍ରଣ ପାଇଁ ସରକାର ଗତ କିଛି ମାସ ହେବ ପିଆଜ ରପ୍ତାନି ବନ୍ଦ କରିଥିଲେ। ଦେଶରେ ପିଆଜ ମୁଦ୍ରାସ୍ଫୀତିରୁ ଜନସାଧାରଣ ଯେପରି ମୁକ୍ତି ପାଇପାରିବେ ସେଥିପାଇଁ ସରକାର ପିଆଜ ରପ୍ତାନି ବନ୍ଦ କରିଥିଲେ ମଧ୍ୟ ଏବେ ଧୀରେ ଧୀରେ ଏହାକୁ ଖୋଲାଯାଉଛି। ଭାରତ ୬ଟି ପଡ଼ୋଶୀ ଦେଶକୁ ୯୯,୫୦୦ ଟନ୍ ପିଆଜ ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛି।

ଭାରତ ବାଂଲାଦେଶ, ୟୁଏଇ, ଭୁଟାନ, ବାହାରେନ, ମରିସସ୍ ଏବଂ ଶ୍ରୀଲଙ୍କାକୁ ୯୯,୧୫୦ ଟନ୍ ପିଆଜ ରପ୍ତାନି କରିବ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ଏହି ଫସଲ ଗୁଡ଼ିକ ମୁଖ୍ୟତଃ ମହାରାଷ୍ଟ୍ରରୁ ଆସିଥାଏ । ଗତବର୍ଷ ଅମଳ କମ୍ ହୋଇଥିବାରୁ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଗତବର୍ଷ ଅମଳ କମ୍ ହୋଇଥିବାରୁ ପିଆଜ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା।

ଗତ ମାସରେ କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ରେ ପିଆଜ ଉତ୍ପାଦନ ପ୍ରାୟ ୨୫୪.୭୩ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି। ଗତବର୍ଷ ଏହି ପରିମାଣ ୩୦୨.୦୮ ଲକ୍ଷ ଟନ୍ ଥିଲା। ଭାରତରେ ପିଆଜ ମୁଖ୍ୟତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ଚାଷ କରାଯାଏ । ସରକାର ପିଆଜର ସଂରକ୍ଷଣରେ ମଧ୍ୟ ଉନ୍ନତି ଆଣିଛନ୍ତି। ପିଆଜ ସଂରକ୍ଷଣ କ୍ଷମତା ୧୨୦୦ ଟନ୍ରୁ ୫୦୦୦ ଟନ୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ପିଆଜ ନଷ୍ଟ କମିବ ବୋଲି ସରକାର ଆଶା ରଖିଛନ୍ତି।

Get real time updates directly on you device, subscribe now.