ଜିରୋ ନାଇଟ୍‌ରେ ଜିରୋ ଟଲେରାନ୍ସ: ନୂଆବର୍ଷ ପାଇଁ ଦେଶର ବିଭିନ୍ନ ସହରରେ ଜାରିହେଲା କଟକଣା 

ଆଉ ଦୁଇ ଦିନ ପରେ ବିଦାୟ ନେବ ବର୍ଷ ୨୦୨୪। ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ପୋଲିସର ରହିବ କଡ଼ା ନଜର।

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ନୂଆବର୍ଷ। ବିଦାୟ ନେବ ବର୍ଷ ୨୦୨୪। ନୂଆବର୍ଷକୁ ସ୍ବାଗତ ସହ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁଠି ପ୍ରସ୍ତୁତି ଜୋରଦାରି।

ଏହାରି ଭିତରେ ଦେଶର ବିଭିନ୍ନ ସହରରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା। । ସହର ପୋଲିସ, ଟ୍ରାଫିକ ବିଭାଗ ଏବଂ ନିଶା ନିବାରଣ ୟୁନିଟ୍ ସମେତ କର୍ତ୍ତୃପକ୍ଷ ପାର୍ଟି ଯାଉଥିବା ଏବଂ ଉତ୍ସବ ଆୟୋଜନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ବ୍ୟାପକ ମାର୍ଗଦର୍ଶିକା ଜାରି ହୋଇଛି।

ହାଇଦ୍ରାବାଦ- ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ରାତି ୧୦ଟା ସୁଦ୍ଧା ଆଉଟଡୋର୍ ସାଉଣ୍ଡ ସିଷ୍ଟମ୍ ବନ୍ଦ କରିବାକୁ ପଡ଼ିବ ଏବଂ ରାତି ୧ଟା ପର୍ଯ୍ୟନ୍ତ ଇନ୍ଡୋର୍ ସାଉଣ୍ଡ ସିଷ୍ଟମ୍ ୪୫ ଡେସିବଲ୍ ରେ ସୀମିତ ରଖାଯାଇଛି।

ଆୟୋଜକମାନେ ନିଶା ଦ୍ରବ୍ୟ ବ୍ୟବହାର ଉପରେ କଡ଼ା କଟକଣା ଲାଗୁ କରିବା ସହ ପାର୍କିଂ ଓ ନିଛାଟିଆ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର।

ବେଙ୍ଗାଲୁରୁ- ବେଙ୍ଗାଲୁରୁ ପୁଲିସ ବ୍ରୁହତ୍ ବେଙ୍ଗାଲୁରୁ ମହାନଗର ପାଳିକା ସହଯୋଗରେ ରାତି ୧ଟା ସୁଦ୍ଧା ଉତ୍ସବ ଶେଷ କରିବାକୁ ଘୋଷଣା କରିଛି।  କେଆଇଏ ଅନ୍ତର୍ଜାତୀୟ ବିମାନବନ୍ଦର ଏଲିଭେଟେଡ୍ ଏକ୍ସପ୍ରେସୱେକୁ ବାଦ୍ ଦେଲେ ରାତି ୧୦ଟା ପରେ ପ୍ରମୁଖ ଫ୍ଲାଏଓଭର ବନ୍ଦ ରହିବ।

ଡିସେମ୍ବର ୩୧ ରାତି ୧୦ଟାରୁ ଜାନୁଆରି ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଚଳାଚଳ ନିଷିଦ୍ଧ କରାଯାଇଛି। ଉତ୍ସବ ସମୟରେ ଲାଉଡସ୍ପିକର ବ୍ୟବହାର ଏବଂ ବାଣ ଫୁଟାଇବା କୁ ନିଷିଦ୍ଧ କରାଯାଇଛି ।

ମୁମ୍ବାଇ- ନୂଆବର୍ଷ ପାଳନ ର ଏକ ଅଂଶ ଭାବରେ ମୁମ୍ବାଇ ବାର୍ , ରେଷ୍ଟୁରାଣ୍ଟ ଏବଂ ପବ୍ ଗୁଡ଼ିକୁ ସକାଳ ୫ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେବ । ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ କୋହଳ ସମୟକୁ ପୁଲିସ କଡ଼ା ନଜର ରଖିଛି।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ହୋଟେଲ ଓ ମଲ୍ ରେ ହେଉଥିବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯିବ। ବିଶେଷ କରି ସମ୍ଭାବ୍ୟ ଯୁବସମାବେଶ କୁ ନେଇ ଅଧିକାରୀମାନେ ସତର୍କ ଅଛନ୍ତି ଯେଉଁଠାରେ ନିଶା ଦ୍ରବ୍ୟ ର ବ୍ୟବହାର ହୋଇପାରେ ।

ଅନ୍ୟ ପ୍ରମୁଖ ସହରଗୁଡିକରେ ନିର୍ଦ୍ଦେଶାବଳୀ
ଦିଲ୍ଲୀ ଏବଂ ଚେନ୍ନାଇ: ନିରାପତ୍ତା ସୁନିଶ୍ଚିତ କରିବା ଏବଂ ସଠିକ ନିୟମପାଳନ କୁ ସୁନିଶ୍ଚିତ କରିବା ଉପରେ ଉଭୟ ସହର ଗୁରୁତ୍ୱାରୋପ କରିଛନ୍ତି। ପ୍ରମୁଖ ମନୋରଞ୍ଜନ ଜୋନ୍ ଏବଂ ପାର୍ଟି ହବ୍ ଗୁଡ଼ିକରେ ପୁଲିସ ଉପସ୍ଥିତି ବୃଦ୍ଧି ପାଇବ।

କୋଲକାତା ଓ ପୁଣେ: ଶାନ୍ତିଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ ଲାଉଡସ୍ପିକର ଉପରେ କଟକଣା ଏବଂ ଉତ୍ସବ ପାଳନ ପାଇଁ କଡ଼ା ସମୟ ସୀମା ଧାର୍ଯ୍ୟ କରାଯାଇଛି।

ଦେଶବ୍ୟାପୀ ପ୍ରବର୍ତ୍ତନ: ମଦ୍ୟପାନ ଓ ନିଶା ଦ୍ରବ୍ୟ ଆଇନ ଉଲ୍ଲଂଘନ ପାଇଁ ଜିରୋ-ଟଲାରେନ୍ସ ନୀତି ପାଇଁ ସହରର କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ। ପ୍ରତିଷେଧକ ପଦକ୍ଷେପ ମଧ୍ୟରେ ଚେକ୍ପୋଷ୍ଟ, ଗାଡି ଯାଞ୍ଚ ଏବଂ ନିଶା ନିରୋଧୀ ସ୍କ୍ଵାଡ୍ ମୁତୟନ ଅନ୍ତର୍ଭୁକ୍ତ ।