fbpx

ଜାଡ଼ରେ ଥରୁଛି ଓଡ଼ିଶା, ମାସ ଶେଷ ଯାଏଁ ପ୍ରବଳ ଶୀତରୁ ମିଳିବନି ଆଶ୍ବସ୍ତି : ୧୧ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟକୁ ପୁଣି ଥରେ ଫେରିଲା ଶୀତ । ଜାଡ଼ରେ ଥରୁଛି ସାରା ରାଜ୍ୟ । ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରାଦୁର୍ଭାବ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି,  ୨୯ ଓ ୩୦ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର କଳାହାଣ୍ଡି, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ । ୩୦ ତାରିଖ ପରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି । ତେବେ ତାପମାତ୍ରା ଟିକେ ବଢ଼ିପାରେ । ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।  ଶନିବାର ଏଠାରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ ।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ । ସେହିପରି ଏବେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି । ଗୁରୁବାର ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୮, କେନ୍ଦୁଝରରେ ୮, ଝାରସୁଗୁଡ଼ାରେ ୯, ସୋନପୁର ୯, ବୌଦ୍ଧ ୯, ଭବାନୀପାଟଣା ୯, ଅନୁଗୋଳରେ ୯.୬, କୋରାପୁଟରେ ୧୦ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୩ ଡିଗ୍ରୀ ରହିଥିଲା ।

Get real time updates directly on you device, subscribe now.