fbpx

କରୋନା କାଳରେ ଗଙ୍ଗାରେ କେତେ ମୃତଦେହ ଭାସୁଥିଲା ? ୟୁପି ଏବଂ ବିହାରକୁ ରିପୋର୍ଟ ମାଗିଲେ ଏନଜିଟି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗଙ୍ଗା ନଦୀରେ କୁଢ କୁଢ ଶବ ଭାସିବା ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି)। ଏହି ପରିପ୍ରେକ୍ଷୀରେ ଏନଜିଟି ଉତ୍ତର ପ୍ରଦେଶ ଏବଂ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୁଇ ରାଜ୍ୟ ସରକାରଙ୍କୁ କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ପରଠୁ ଚଳିତ ବର୍ଷ ମାର୍ଚ୍ଚ ୩୧ ଯାଏଁ ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ଏବଂ ନଦୀ କୂଳରେ ପୋତାଯାଇଥିବା ମୃତଦେହ ସଂଖ୍ୟା ବିଷୟରେ ସୂଚନା ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଡ. ଅଫରୋଜ ଅହମ୍ମଦଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶ ଏବଂ ବିହାରର ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ଏବଂ ଅତିରିକ୍ତ ମୁଖ୍ୟ ସ୍ଵାସ୍ଥ୍ୟ ସଚିବଙ୍କୁ ଏହି ବିଷୟରେ ରିପୋର୍ଟ ଦେବାକୁ କହିଛନ୍ତି। କରୋନା ଆରମ୍ଭ ପରଠୁ ଏବଂ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଗଙ୍ଗା ନଦୀରେ କେତେ ମୃତଦେହ ଭାସୁଥିଲା ଏବଂ କୂଳରେ କେତେ ଶବ ପୋତା ଯାଇଛି ତାର ସବିଶେଷ ରିପୋର୍ଟ ମାଗିଛନ୍ତି ଏନଜିଟି।

ଉତ୍ତର ପ୍ରଦେଶ ଏବଂ ବିହାର ସରକାର କେତେ ମାମଲାରେ ଦାହ ସଂସ୍କାର ଏବଂ ପୋତିବା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ? ଗଙ୍ଗା ନଦୀରେ ଶବ ନଫିଙ୍ଗିବା ଏବଂ କୂଳରେ ଶବ ନପୋତିବା ବିଷୟରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଦୁଇ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାର ରିପୋର୍ଟ ମଧ୍ୟ ମାଗିଛନ୍ତି ଏନଜିଟି। ଟ୍ରାଇବ୍ୟୁନାଲ ଏହା ଜାଣିବାକୁ ଚାହୁଁଛନ୍ତି ଯେ, କାହା ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା କି ? ଶବ ଦାହର ଗାଇଡ୍ଲାଇନ୍ ଉଲ୍ଲଂଘନ ନେଇ କୌଣସି ବ୍ୟକ୍ତି ବିରୋଧରେ କୌଣସି ମୋକଦ୍ଦମା ହୋଇଥିଲା କି ନାହିଁ ? ଏନଜିଟି ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କଣ ପରିବେଶ ନିୟମ ଉଲ୍ଲଂଘନ ହୋଇଛି କି ? ଯଦି ହଁ ତେବେ ଏ ଦିଗରେ କଣ କାର୍ୟ୍ୟାନୁଷ୍ଠାନ ନିଆଯାଇଛି।

Get real time updates directly on you device, subscribe now.