ତହବୁରକୁ ୧୮ ଦିନିଆ ରିମାଣ୍ଡରେ ନେଲା NIA
୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା। ତହବୁର ରାଣାକୁ ରିମାଣ୍ଡରେ ନେଲା NIA।
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଏପ୍ରିଲ ୧୦ ତାରିଖରେ ଭାରତ ଅଣାଯାଇଥିଲା। ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ଭାରତ ଅଣାଯାଇଥିଲା।
ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର। ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା।
ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଅଣାଯାଇଥିଲା। ହବୁର ରାଣାକୁ ଆମେରିକା ପ୍ରତ୍ୟର୍ପିତ କରିବା ପରେ ତା’କୁ ଏନଆଇଏ ନିଜ ମୁଖ୍ୟାଳୟ ମଧ୍ୟରେ ରଖି ଶୁକ୍ରବାର ଠାରୁ ଜେରା ଆରମ୍ଭ କରିଛି।
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି। ଶୁକ୍ରବାର ଦିନ ତମାମ ରାଣାକୁ ଜେରା କରାଯାଇଥିଲେ ହେଁ ସେ ତଦନ୍ତରେ ଆଦୌ ସହଯୋଗ କରି ନାହିଁ। ସେହିପରି ସେ ଖୁବ କମ ତଥ୍ୟ ଏନଆଇଏକୁ ଦେଇଛି।
ଆଉ ଆଜି ମାଷ୍ଟରମାଇଣ୍ଡ ତହବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି NIA। ଆଶା କରାଯାଉଛି ରାଣା ପାଖରୁ କିଛି ନୂଆ ସୁରାକ ପାଇବ NIA। ଯାହାକି ତଦନ୍ତରେ ସହାୟକ ହେବ।