fbpx

NMP ପରେ ଏବେ କେନ୍ଦ୍ର ସରକାର ଗଠନ କରିବେ NLMC, ସରକାରୀ ଜମିର ଘରୋଇକରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସାର୍ବଜନିକ କ୍ଷେତ୍ରର ଭବନ, ସରପ୍ଲସ ଲ୍ୟାଣ୍ଡ ଓ ସରକାରୀ ସଂସ୍ଥାର ମନିଟାଇଜ ପାଇଁ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ (ଏନଏଲଏମସି) ଗଠନ କରିବାକୁ ମଞ୍ଜୁରୀ ମିଳିଛି । ତେବେ ଏନଏଲଏମସିକୁ ପ୍ରାଥମିକ ପର୍ୟ୍ୟାୟରେ ୫ ହଜାର କୋଟିର ପ୍ରାଧିକୃତ ଶେୟାର ପୁଞ୍ଜି ଓ ୧୫୦ କୋଟିର ପେଡ୍-ଅପ୍ ଶେୟାର ପୁଞ୍ଜି ପ୍ରଦାନ କରାଯିବ । ଏହାକୁ ଭାରତ ସରକାରଙ୍କ ପୂର୍ଣ୍ଣ ମାଲିକାନାସ୍ୱତ୍ୱ କମ୍ପାନୀ ଭାବେ ସ୍ଥାପିତ କରାଯିବ । ଏନଏଲଏମସି ସରକାରୀ କମ୍ପାନୀଗୁଡ଼ିକର ଲ୍ୟାଣ୍ଡ ମନିଟାଇଜେସନ କରିବା କ୍ଷେତ୍ରରେ ଆଡଭାଇଜରୀ ଭାବେ ଭୂମିକା ନିର୍ବାହ କରିବ । ଏହା ମାଧ୍ୟମରେ ସରକାରୀ ଜମିର ଚିହ୍ନଟ ହେବା ସହ ତା’ର ରୂପରେଖ ସ୍ଥିର କରାଯିବ ।

ତେବେ ଜଣାପଡ଼ିଛି ଯେ, ଏନଏଲଏମସି ମାଧ୍ୟମରେ ଘରୋଇ କ୍ଷେତ୍ରରେ ନିବେଶ, ନୂଆ ଆର୍ଥିକ ଗତିବିଧ, ସ୍ଥାନୀୟ ଅର୍ଥ ବ୍ୟବସ୍ଥା ବୃଦ୍ଧି ଉପରେ ଫୋକସ୍ କରାଯିବ । ତେବେ ସାର୍ବଜନିକ କ୍ଷେତ୍ରର ମନିଟାଇଜ ପାଇଁ ପାଖାପାଖି ୩୫ ହଜାର କୋଟି ଏକର ଜମି ଓ ଅନ୍ୟ ନନକୋର ଆସେଟକୁ ସାମିଲ କରାଯାଇଛି । ଏହି ଆସେଟଗୁଡ଼ିକୁ ଲିଜରେ ଦିଆଯିବ କି ଭଡ଼ାସୂତ୍ରରେ ଦିଆଯିବ ତାହା ଏନଏଲଏମସି ସ୍ଥିର କରିବ । ଏଥିସହ ଏନଏମଏଲସି ନିବେଶ ଓ କମର୍ସିଆଲ ବା ରେଜିଡେନ୍ସିଆଲ ଉଦ୍ଦେଶ୍ୟରେ ମଧ୍ୟ ଆସେଟକୁ ବିକଶିତ କରିପାରିବ । ଏଥିରୁ ଏନଏଲଏମସି କିଛି ଅର୍ଥ ଯୋଗାଡ଼ କରିବାର ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ ଯେ, ନ୍ୟାସନାଲ ମନିଟାଇଜେସନ ପାଇପଲାଇନ (ଏନଏମପି) ମାଧ୍ୟମରେ କେନ୍ଦ୍ର ସରକାର ସରକାରୀ କମ୍ପାନୀକୁ ଘରୋଇକରଣ ନେଇ ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଏହି କ୍ରମରେ ସରକାର ଆର୍ଥିକ ବର୍ଷ ୨୦୨୨ରୁ ୨୦୨୫ ଚାରି ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା ମଧ୍ୟରେ ଅନେକ ସରକାରୀ କମ୍ପାନୀର ମନିଟାଇଜେସନ ହୋଇସାରିଥିବା ବେଳେ ଆଉ କିଛି ପ୍ରକିୟା ଜାରି ରହିଛି ।

Get real time updates directly on you device, subscribe now.