ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ପୁଣି ଥରେ ଏନଏମଏମଏସ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ଡିସେମ୍ବର ୧ ତାରିଖରେ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଡିସେମ୍ବର ୧୫କୁ ଘଞ୍ଚାଇ ଦିଆଯାଇଥିଲା । ତେବେ ଏବେ ୧୫ ତାରିଖ ବଦଳରେ ଡିସେମ୍ବର ୨୨ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେନଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏନସିଇଆରଟି) ପକ୍ଷରୁ ସୂଚନା ଜାରି କରାଯାଇଛି ।
ଅନ୍ୟପକ୍ଷରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ଏହି ନିଷ୍ପତ୍ତିକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ପରୀକ୍ଷା ତାରିଖ ପରିବର୍ତ୍ତନ କରିବା ଫଳରେ ତାହା ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନଏମଏମଏସ ୨୦୨୪-୨୫ ବର୍ଷ ଆବେଦନ ସମୟରେ ପରୀକ୍ଷା ଡିସେମ୍ବର ପହିଲାରେ ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଥିଲା । ନ୍ୟାସନାଲ ଆଚିଭେଣ୍ଟ ସର୍ଭେ ପାଇଁ ପୂର୍ବରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ସ ପରୀକ୍ଷା ଓ ଅନ୍ୟ କିଛି ସ୍ଥାନରେ ଏହି ପରୀକ୍ଷାର କେନ୍ଦ୍ର ରହିଥିବାରୁ ବାଧ୍ୟ ହୋଇ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଛି ।