fbpx

‘କାରପୁଲିଂ ଉପରେ ଲାଗିବନି ପ୍ରତିବନ୍ଧକ, କିନ୍ତୁ ଚଲାଇବା ପାଇଁ ନେବାକୁ ପଡ଼ିବ ଅନୁମତି’: ପରିବହନ ମନ୍ତ୍ରୀ

ବେଙ୍ଗାଳୁରୁ: ‘କାର୍ ପୁଲିଂ’ କୁ ନେଇ ରାଜ୍ୟରେ ଉପୁଜିଥିବା ବିବାଦ ଉପରେ ବୟାନ ଦେଇଛନ୍ତି କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ଏସବୁ ଆପରେ ପ୍ରତିବନ୍ଧକ ଲଗାଇବା ନେଇ ସେ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛନ୍ତି। ଉପଭୋକ୍ତାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆପଗୁଡ଼ିକ ଆବଶ୍ୟକ ଅନୁମତି ନେବା ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି।

‘କାର୍ ପୁଲିଂ’ ଆପଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଟ୍ୟାକ୍ସି ଏବଂ ଅଟୋ ଟ୍ରାଇଭର ସଂଘ ମିଳିତ ଦାବି କରିଥିଲେ । ସେହି କାରଣରୁ ଗତ ଶନିବାର କର୍ଣ୍ଣାଟକ ସରକାର ଏହି ଆପଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଆଜି ରେଡ୍ଡୀ, ସରକାରଙ୍କର ଏହି ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି- “ଆପଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ । ଏହି ଖବର ମିଛ, ସେମାନେ ଏଯାଏ ଅନୁମତି ନେଇନାହାନ୍ତି । ତେବେ ପ୍ରତିବନ୍ଧକ କଥା ଉଠୁଛି କେଉଁଠୁ?”

ତେବେ ଏହି ବିଷୟରେ ଅଧିକ ଆଲୋଚନା ପାଇଁ ଆସନ୍ତାକାଲି ଦିନ ୧୦ ଟାରେ କାରପୁଲ୍ ଆପ୍ ଏଗ୍ରିଗେଟର୍ସ ମାନଙ୍କ ସହିତ ରାମଲିଙ୍ଗା ରେଡ୍ଡୀ ଏକ ବୈଠକ ଡକାଇଛନ୍ତି।

ସୂଚନାଯୋଗ୍ୟ, ‘କାର୍ ପୁଲିଂ’ ଆପ ଦ୍ୱାରା ଗୋଟିଏ ସେବାରେ ଏକାଥରକେ ୪ ରୁ ୫ ଜଣ ଉପକୃତ ହୋଇପାରିବେ । ଗୋଟିଏ କାରରେ ସେୟାରିଂରେ ଏକାବେଳେ ଅନେକ ଜଣ ଯାଇପାରିବେ । ବେଙ୍ଗାଲୁରୁରେ ଟ୍ରାଫିକ ଅବସ୍ଥାକୁ ଦୃଷ୍ଟିରେ ରଖି ସେଠାରେ ଏହି ସେବା ଆରମ୍ଭ କରାଯାଇଥିଲା ।

କିନ୍ତୁ ଏହାକୁ ନେଇ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ସଂଘ ବିରୋଧ କରିଥିଲେ । ଏହାଦ୍ୱାରା ସେମାନଙ୍କର ଦୈନିକ ରୋଜଗାର ଉପରେ ପ୍ରଭାବ ପଡ଼ୁଛି । ତେଣୁ ଏହି ଆପଗୁଡ଼ିକରେ ପ୍ରତିବନ୍ଧକ ଲଗାଇବା ନେଇ ସେମାନେ ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି ସେମାନେ କିଛିଦିନ ତଳେ ହୋଇଥିବା ବେଙ୍ଗାଲୁରୁ ବନ୍ଦରେ ମଧ୍ୟ ଏନେଇ ଦାବି ରଖିଥିଲେ ।

 

Get real time updates directly on you device, subscribe now.