fbpx

Dengue ପାଇଁ ଯିବନି ମୂଲ୍ୟବାନ୍ ଜୀବନ! ଡେଙ୍ଗୁ Vaccineକୁ ନେଇ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁ ରୋଗକୁ ନେଇ ଭୟ ଦେଖାଦେଇଛି । ତେବେ ଖୁବଶୀଘ୍ର ଲୋକଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଉଛି ଭାରତର ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ସହ ଲଢିବା ପାଇଁ ଭାରତ ସ୍ୱଦେଶୀ ଟୀକା ପ୍ରସ୍ତୁତ କରିସାରିଛି । ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଲ ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପ୍ୟାନେସିଆ ବାୟୋଟିକ ସହ ମିଶି ଦେଶରେ ଡେଙ୍ଗୁର ସଫଳ ଟୀକା ପ୍ରସ୍ତୁତ କରିଛି । ଏହାର ୨ଟି କ୍ଲିନିକାଲ ଟ୍ରାଏଲ ସଫଳତା ପାଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଭାରତରେ ଡେଙ୍ଗୁର ପ୍ରଥମ ସ୍ୱଦେଶୀ ଟୀକା ଟ୍ରାଏଲରେ ୧୦,୩୩୫ ପାର୍ଟିସିପେଣ୍ଟସକୁ ସାମିଲ କରାଯାଇଛି । ପ୍ରଥମ ଟୀକା ରୋହତକର ପଣ୍ଡିତ ଭଗବତ ଦୟାଲ ଶର୍ମା ପିଜି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ଜଣେ ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହାପରେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଟୀକାର ଟ୍ରାଏଲ କରାଯିବ । ଏହା ଡେଙ୍ଗୁର ଶେଷ ପର୍ଯ୍ୟାୟ ଟ୍ରାଏଲ ହୋଇଥିବା ବେଳେ ଏଥିରେ ସଫଳତା ମିଳିଲେ ଖୁବଶୀଘ୍ର ଏହା ମାର୍କେଟରେ ମଧ୍ୟ ଉପଲବ୍ଧ ହୋଇପାରିବ ।

ଡେଙ୍ଗୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଦୁର୍ବଳ ହୋଇଯିବା ସହ ପ୍ଲେଟଲେଟ କାଉଣ୍ଟ ମଧ୍ୟ କମ୍ ହୋଇଯାଏ । ତେବେ ଟୀକା ଉପଲବ୍ଧ ହେବା ପରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ସଂକ୍ରମିତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାକୁ ନେଇ କହିଛନ୍ତି ଯେ, ଏହି ଟୀକା ଡେଙ୍ଗୁ ବିରୋଧରେ ବେଶ୍ ସଫଳତା ପାଇପାରିବ ଏବଂ ଆତ୍ମନିର୍ଭର ଭାରତକୁ ମଜବୁତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ । ଏହି ଟୀକା ସାରା ଦେଶକୁ ଡେଙ୍ଗୁ ଭୁକ୍ତ କରିପାରେ ବୋଲି ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ।

Get real time updates directly on you device, subscribe now.