fbpx

କେନ୍ଦ୍ର ସରକାରଙ୍କ ଚେତାବନୀ: କେନ୍ଦ୍ରୀୟ ଯୋଜନାର ନାମ ଓ ଲୋଗୋ ପରିବର୍ତ୍ତନ ବନ୍ଦ କର, ନ ମାନିଲେ ରାଜ୍ୟକୁ ମିଳିବନି ପାଣ୍ଠି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନସାଧାରଣଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଏକାଧିକ ଯୋଜନା ଆରମ୍ଭ କରାଯାଇଥାଏ । ତେବେ ଅନେକ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ପରିଚାଳିତ କେନ୍ଦ୍ରୀୟ ଯୋଜନାକୁ କିଛି ରାଜ୍ୟ ନାମ ପରିବର୍ତ୍ତନ କରି ରାଜ୍ୟରେ ଲାଗୁ କରୁଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି କିଛି ରାଜ୍ୟ ଯୋଜନାଗୁଡ଼ିକର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲନେସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କିଛି ରାଜ୍ୟ ନିଜ ନାମରେ ବ୍ରାଣ୍ଡିଂ କରୁଥିବା କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଏଥିରୁ ନିବୃତ୍ତ ରହିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି । ଏଣିକି ଯଦି କୌଣସି ରାଜ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ନାମ ଓ ମାର୍ଗଦର୍ଶିକା ପରିବର୍ତ୍ତନ କରନ୍ତି ତେବେ ଉକ୍ତ ରାଜ୍ୟକୁ ପାଣ୍ଠି ବନ୍ଦ କରିଦିଆଯିବ । କେନ୍ଦ୍ର ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସୂଚନା ମିଳିଛି ।

ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ଯୋଜନାର ମାର୍ଗଦର୍ଶିକା ପାଳନ କରିବାକୁ ରାଜ୍ୟମାନଙ୍କ ପାଇଁ ବାଧ୍ୟତାମୂଳକ କରାଯିବ । ବିଭିନ୍ନ ଯୋଜନାର ନାମକରଣ ଲୋଗୋ ପରିବର୍ତ୍ତନ ନେଇ ବିଭିନ୍ନ ସାଂସଦମାନେ ତଥ୍ୟ ଦେବା ପରେ କେନ୍ଦ୍ର ସରକାର ଏଭଳି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଛି । ପିଏମଏୱାଇ ଲୋଗୋ ସହିତ ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ମଧ୍ୟ ପୂର୍ବରୁ କୁହାଯାଇଥିଲା ।

ସେହିପରି ପଶ୍ଚିମବଙ୍ଗ ସରକାର ପିଏମ୍ ଆବାସ ଯୋଜନାକୁ ‘ବାଂଲା ଆବାସ ଯୋଜନା’, ଆନ୍ଧ୍ରପ୍ରଦେଶ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ‘ମୋହାଲ୍ଲା କ୍ଲିନିକ’ ଯୋଜନାରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି । ତେବେ ଅଧିକାଂଶ ଅଣବିଜେପି ଶାସିତ ରାଜ୍ୟମାନେ ଏହି ନାମ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି । ରାଜ୍ୟମାନେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ମଧ୍ୟ ତାହାକୁ ଉଲ୍ଲଂଘନ କରି ନାମ ପରିବର୍ତ୍ତନ କରୁଥିବା ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଲୋକସେଭାରେ କହିଥିଲେ । ଯୋଜନା ପାଇଁ କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର କୌଣସି ଫାଇଦା ହେଉନଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.