କୁକୁରଙ୍କ ଟେନସନ୍ ଖତମ୍: ଏଥର ସେଲ୍ଟର ହୋମରେ ରହିବେ ବୁଲା କୁକୁର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବୁଲା କୁକୁରମାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ । ବୁଲା କୁକୁରମାନଙ୍କୁ ଧରି ଏକ ସେଲ୍ଟର ହୋମରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ: ବୁଲା କୁକୁରମାନଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡ଼ାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା କୁକୁରମାନଙ୍କୁ ଧରି ଏକ ସେଲ୍ଟର ହୋମରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଖଣ୍ଡପୀଠ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଧରାପଡ଼ିଥିବା କୌଣସି କୁକୁରକୁ ପୁଣି ରାସ୍ତାରେ ଛାଡି ଦିଆଯିବ ନାହିଁ। କୋର୍ଟ କୁକୁର ଧରିବା ଅଭିଯାନରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଷ୍ଟିସ୍ ପାରଦିୱାଲା ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ହଙ୍ଗାମା
ସୁପ୍ରିମକୋର୍ଟ ସହିତ, ରାଜସ୍ଥାନ ହାଇକୋର୍ଟ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏହାକୁ ନେଇ ବହୁତ ବିବାଦ ଦେଖାଦେଇଛି ଏବଂ ବିରୋଧ ମଧ୍ୟ ହେଉଛି। ତେବେ ଦିଲ୍ଲୀ-ଏନସିଆରରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବ୍ୟବହାରିକ, ମହଙ୍ଗା ଏବଂ ପରିବେଶ ପାଇଁ କ୍ଷତିକାରକ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନେକା ଗାନ୍ଧୀ । ସେ କହିଛନ୍ତି ଯେ, ତିନି ଲକ୍ଷ କୁକୁରଙ୍କ ପାଇଁ କେତେ ସେଲ୍ଟର ହୋମ ନିର୍ମାଣ କରାଯିବ ? ଏତେ କର୍ମଚାରୀ କେଉଁଠାରୁ ଅଣାଯିବ? ଅନେକ ଲୋକ ଏହି ନିଷ୍ପତ୍ତିକୁ ଭଲ ବୋଲି କହୁଥିବା ବେଳେ ଅନେକ ଲୋକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏସବୁ ମଧ୍ୟରେ, ବଡ଼ ପ୍ରଶ୍ନ ହେଉଛି ଯେ, ଏତେ ସଂଖ୍ୟକ ବୁଲା କୁକୁରଙ୍କୁ ସେଲ୍ଟର ହୋମରେ ରଖିବାର ବ୍ୟବସ୍ଥା କିପରି କରାଯିବ?
ପାଉଣ୍ଡ କିମ୍ବା ସେଲ୍ଟର ହୋମ କ’ଣ?
ପ୍ରଥମେ ଜାଣିବା କୁକୁରମାନଙ୍କ ଆଶ୍ରୟସ୍ଥଳକୁ ସେଲ୍ଟର ହୋମ କିମ୍ବା ପାଉଣ୍ଡ କାହିଁକି କୁହାଯାଏ। ପ୍ରକୃତରେ, ଯେଉଁ କୁକୁରମାନଙ୍କୁ ସରକାର ଧରି ଏକ ସ୍ୱତନ୍ତ୍ର ସ୍ଥାନରେ ରଖନ୍ତି, ସେମାନଙ୍କୁ ସେଲ୍ଟର ହୋମ କିମ୍ବା ପାଉଣ୍ଡ ମଧ୍ୟ କୁହାଯାଏ।
ବିଶ୍ୱର ସବୁଠାରୁ ବଡ଼ ସେଲ୍ଟର ହୋମ କେଉଁଠାରେ ଅଛି
ବିଶ୍ୱର ସବୁଠାରୁ ବଡ଼ ସେଲ୍ଟର ହୋମ ରୋମାନିଆରେ ଅଛି ଏବଂ ସେଠାରେ ଏକ ସମୟରେ 3,000 କୁକୁର ରହିପାରିବେ। କୁକୁର ସେଲ୍ଟର ହୋମ ହେଉଛି ସେହି ସ୍ଥାନ ଯେଉଁଠାରେ କୁକୁରମାନଙ୍କର ସଠିକ୍ ଯତ୍ନ ନିଆଯାଇଥାଏ। କୁକୁର ସେଲ୍ଟର ହୋମରେ ବାସହୀନ କୁକୁରମାନଙ୍କ ପାଳନ ପୋଷଣ କରାଯାଏ । ଏଠାରେ କୁକୁରମାନଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ ସୁବିଧା ଦିଆଯାଏ।