fbpx

ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ କୋର୍ସ ସାମିଲ ହେବନି: ବର୍ଷକୁ ଚାରିଥର ହେବ ଶିକ୍ଷକ ଓ ଅଭିଭାବକ ବୈଠକ- ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ପାଠ୍ୟକ୍ରମ ସାମିଲ ହେବ ନାହିଁ । ଏ ବାବଦରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିସହିତ ଏଣିକି ବର୍ଷକୁ ଚାରିଥର ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ ବସିବ । ପୂର୍ବରୁ ଏହି ବୈଠକ ବର୍ଷକୁ ଦୁଇଥର ବସୁଥିଲା ।

ସାଧାରଣ ଭାବେ ପିଲାମାନେ ସ୍କୁଲରେ ଯେତିକି ସମୟ ରହି ପାଠ ପଢ଼ୁଛନ୍ତି, ତା’ଠାରୁ ଅଧିକ ସମୟ ଘରେ ରହୁଛନ୍ତି । ତେଣୁ ଅଭିଭାବକମାନେ କିପରି ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇପାରିବ, ଘରେ ଶିକ୍ଷାର ପରିବେଶ ସୃଷ୍ଟି କରିପାରିବେ ତାହା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ । ପିଲାଙ୍କ ପାଠପଢ଼ାର ଉନ୍ନତି ନେଇ ଉଭୟ ସ୍କୁଲ ଓ ଅଭିଭାବକ ସମାନ ମାତ୍ରାରେ ଯତ୍ନବାନ ହେବା ଜରୁରୀ ବୋଲି ଶ୍ରୀ ଦାସ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ରାଜ୍ୟରେ ଦିନକୁ ଦିନ ଡ୍ରପ୍ ଆଉଟ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ରୋକିବା ନେଇ ଚଳିତ ବର୍ଷ ପଦକ୍ଷେପ ନିଆଯାଇଥିଲା । ଆସନ୍ତା ଶିକ୍ଷାବର୍ଷଠାରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଯେଉଁ ବ୍ଲକରେ ଯୁକ୍ତ ଦୁଇ କଲେଜ ନଥିବ ସେଠାରେ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍ କରାଯିବ ବୋଲି ଗତ ଅଗଷ୍ଟ ମାସରେ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.