fbpx

ଅମିତାଭଙ୍କ ନାମ, କଣ୍ଠସ୍ୱର ଓ ଫଟୋ ବ୍ୟବହାର କଲେ ପଡ଼ିବ ମହଙ୍ଗା: ନେବାକୁ ପଡ଼ିବ ଅନୁମତି, କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଶତାବ୍ଦୀର ମହାନାୟକ ତଥା ବିଗ୍ ବି ଅମିତାବ ବଚନ ନିଜର କଣ୍ଠସ୍ୱର ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ପରିଚିତ । ହୃଦୟସ୍ପର୍ଶୀ ଅଭିନୟ ସାଙ୍ଗକୁ ସ୍ୱରର ଯାଦୁ ପାଇଁ ଦଶନ୍ଧି ଦଶନ୍ଧି ଧରି କୋଟି କୋଟି ଦର୍ଶକଙ୍କ ମଧ୍ୟରେ ବିଗ୍ ବି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଅମିତାଭଙ୍କ କଣ୍ଠସ୍ୱର, ନାମ ଓ ଫଟୋକୁ ବିନା ଅନୁମତିରେ ବ୍ୟବହାର କରିବା ମହଙ୍ଗା ପଡ଼ିବ । ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ଦିଲ୍ଲୀ ହାଇକୋର୍ଟ ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।

ଅମିତାଭଙ୍କ ନାମ, ଫଟୋ, କଣ୍ଠସ୍ୱର ଓ ଅନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର କରାଯାଉଛି । ତେଣୁ ଏହା ଉପରେ ରୋକ ଲଗାଇବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଅମିତାଭ ଏକ ୟାଚିକା ଦାୟର କରିଥିଲୋ । ତେଣୁ ଭବିଷ୍ୟତରେ ବିଗ୍ ବି’ଙ୍କ ବିନା ଅନୁମତିରେ ତାଙ୍କର ଫଟୋ, କଣ୍ଠସ୍ୱରକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ହାଇକୋର୍ଟ ନିଜ ରାୟ ଶୁଣାଇଛନ୍ତି । ଅମିତାଭଙ୍କ ସମସ୍ତ ବ୍ୟକ୍ତିଗତ ପ୍ରତୀକକୁ ହଟାଇବା ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ କୋର୍ଟ ଅମିତାଭଙ୍କ ନାମ ଓ ସ୍ୱରର ଅବୈଧ ଉପଯୋଗ କର୍ତ୍ତାଙ୍କ ଫୋନ ନମ୍ବର ବିବରଣୀ ମାଗିଛନ୍ତି ।

ଦେଶର ସମସ୍ତ ଟେଲିକମ ଅପରେଟରଙ୍କ ପାଇଁ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଜିକାଲି ଅନଲାଇନ୍ ଲଟେରୀ ଓ ଟି-ଶାର୍ଟ ପରି ସାମଗ୍ରୀରେ ବିନା ଅନୁମତିରେ ଅମିତାଭଙ୍କ ଫଟୋ ଲଗାଯିବା ସହିତ ଅନ୍ୟତ୍ର ତାଙ୍କର ସ୍ୱରକୁ ମଧ୍ୟ ବ୍ୟବହାର କରାଯାଉଛି । ଏପରି ଅନେକ ୱେବସାଇଟର ଡୋମେନ ମଧ୍ୟ ଅମିତାଭଙ୍କ ନାମରେ ପଞ୍ଜିକୃତ ହୋଇଛି । ଅମିତାଭଙ୍କ ଛବିକୁ ଖରାପ କରିବା ଉଦ୍ଦେଶ୍ୟରେ ଜାରି ରହିଥିବା ଏପରି ଗତିବିଧି ଉପରେ ରୋକ ଲାଗିବା ଜରୁରୀ ବୋଲି ତାଙ୍କର ଓକିଲ ହରିଶ ସାଲଭେ କହିଥିଲେ ।

Get real time updates directly on you device, subscribe now.