ଗଜରାଜଙ୍କ ପାଇଁ ଜାଗା ନିଅଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ ହାତୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଯେଉଁ କାରଣରୁ ରାଜ୍ୟରେ ଏବେ ହାତୀ ଓ ମଣିଷ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି । ସମାନ ସ୍ଥିତି ଲାଗି ରହିଲେ, ରାଜ୍ୟରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଯିବ ବୋଲି କହିଛନ୍ତି ରାଜ୍ୟ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ ୨୧୦୦ ହାତୀ ଅଛନ୍ତି । ଯାହାଙ୍କୁ ସ୍ଥାନ ସମେତ ଖାଦ୍ୟ ମଧ୍ୟ ନିଅଣ୍ଟ ପଡ଼ୁଛି । ହାତୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଗାମୀ ଦିନରେ ଖାଦ୍ୟାଭାବ ଦେଖାଯିବାର ଆଶଙ୍କା ରହିଛି ।

ହାତୀମାନଙ୍କୁ ଉପଯୁକ୍ତ ରହିବା ସ୍ଥାନ, ଖାଦ୍ୟ, ପାଣି ନ ମିଳିବା ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି ଛୁଆ ହାତୀ । ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ଖାଦ୍ୟ ନ ପାଇ ସେମାନେ ପ୍ରାଣ ହରାଉଥିବା ନିକଟ ଦିନରେ ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିିଛି । ଅନ୍ୟପଟେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସ (ଆଇଆଇସି) ତଥ୍ୟ ଅନୁସାରେ ଓଡ଼ିଶାରେ ୧୭୦୦ ହାତୀଙ୍କ ରହଣୀ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ । ଆବଶ୍ୟତାଠାରୁ ୪୦୦ ଅଧିକ ହାତୀ ରହିବା କାରଣରୁ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି କିମ୍ବା ଗ୍ରାମ, ସହର ମଧ୍ୟକୁ ପ୍ରବେଶ କରୁଛନ୍ତି । ଏଥିସହ ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ କରୁଥିବା ଦେଖାଯାଉଛି । ଏ ପ୍ରକାର ସମସ୍ୟାର ସମାଧାନ ଉଦେ୍ଦଶ୍ୟ ରଖି ବନ୍ୟ ବିଭାଗ କିଛି ହାତୀଙ୍କୁ ମୟୁରଭଞ୍ଜସ୍ଥିତ ଶିମିଳିପାଳ ଅଭୟାରଣ୍ୟ ପଠାଇବାକୁ ଯୋଜନା ରଖିଛି । ଆସନ୍ତା ନଭେମ୍ବର୧୪- ୧୫ ତାରିଖ ଆଡକୁ ରାଜ୍ୟବ୍ୟାପୀ ଏଲିଫ୍ୟାଣ୍ଟ ସେନ୍ସସ୍ ବା ହାତୀ ଗଣନା କରାଯିବ । ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ମଧ୍ୟ ଅନେକ ସମୟରେ ହାତୀ ପଶିଆସୁଛନ୍ତିି । ଏହାକୁ ମଧ୍ୟ ଦୃଷ୍ଟିକୁ ନିଆଯିବ । ଏହି ଗଣନା ପାଇଁ ହାତୀଙ୍କ ଗତିବିଧି ଉପରେ ବର୍ତ୍ତମାନ ଠାରୁ ନଜର ରଖାଯାଇଥିବା ଶ୍ରୀ ନନ୍ଦ କହିଛନ୍ତି ।