fbpx

ଦୁର୍ଘଟଣା କମାଇବାକୁ ରେଳ ବିଭାଗର ସ୍ୱତନ୍ତ୍ର ପ୍ରୟାସ, ଏଆଇ ଆଧାରିତ ସ୍ୱତନ୍ତ୍ର ଡିଭାଇସ ଚାଳକକୁ ସତର୍କ ରଖିବା ସହ ଜରୁରୀକାଳୀନ ବ୍ରେକ ବି ଲଗାଇବ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟ୍ରେନ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ରେଳ ବିଭାଗ ପକ୍ଷରୁ ଏହାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହି କ୍ରମରେ ଏବେ ପୂର୍ବୋତ୍ତର ରେଳ ବିଭାଗ ଦୁର୍ଘଟଣା ରୋକିବାକୁ ଏଆଇ ଆଧାରିତ ଏପରି ଏକ ଉପକରଣ ବିକଶିତ କରିଛି ଯାହା ଟ୍ରେନ ଚାଳକଙ୍କ ଆଖିର ପତ୍ତା ପଡିଗଲେ ଧରି ପାରିବ । ଫଳରେ ଯଦି ଚାଳକକୁ କେତେବେଳେ ନିଦ ଆସେ ତେବେ ଏହା ପୂର୍ବରୁ ଏହି ଡିଭାଇସ୍ ଚାଳକକୁ ସତର୍କ କରାଇଦେବ । ଗତ ଜୁନ୍‌ରେ ରେଲୱେ ବୋର୍ଡ ପୂର୍ବୋତ୍ତର ରେଲୱେକୁ ଏପରି ଏକ ଉପକରଣ ବିକଶିତ କରିବାକୁ କହିଥିଲେ ଯାହା ଟ୍ରେନ ଚାଳକର ଆଖି ପତ୍ତା ଉପରେ ନଜର ରଖି ନିଦ ଲାଗିଲେ ସତର୍କ କରାଇପାରିବ ।

ଏହି ଉପକରଣ ରେଲୱେ ଚାଳକ ସହାୟତା ପ୍ରଣାଳୀ ( ଆରଡିଏଏସ୍‌) ଭାବରେ ପରିଚିତ ହେବ । ଏହା କେବଳ ଚାଳକକୁ ସତର୍କ କରାଇବ ନାହିଁ ବରଂ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଚାଳକର ସତର୍କତା ହରାଇବା ସ୍ଥିତିରେ ଜରୁରୀକାଳୀନ ବ୍ରେକ ବି ଲଗାଇବ । ବିଶେଷ ସୂତ୍ରରୁ ଜଣାପଡିଛି ଜରୁରୀକାଳୀନ ବ୍ରେକ ଲଗାଇବା ପାଇଁ ଆରଡିଏଏସ୍ କୁ ଏକ ସତର୍କତା ନିୟନ୍ତ୍ରଣ ଉପକରଣ ସହିତ ଯୋଡା ଯିବ । ଏହି ବିଶେଷ ଉପକରଣ ଏବେ ନିର୍ମାଣ କରାଯାଉଛି ଓ ଏହାର ପରୀକ୍ଷଣ ପରେ ଏହାକୁ ଟ୍ରେନରେ ସଂଯୋଗ କରାଯିବ ।

ପୂର୍ବୋତ୍ତର ରେଳ ବିଭାଗ ରେଳ ବିଭାଗର ଟେକନିକାଲ ଟିମ ଏବେ ଏହି ଡିଭାଇସ ଉପରେ କାମ ଜାରି ରଖିଛନ୍ତି । ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ । ଏହି ଉପକରଣ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଏକ ପାଇଲଟ ପରିଯୋଜନା ଆଧାରରେ ୨୦ ମାଲଗାଡି ଇଂଜିନ ଓ ଯାତ୍ରୀବାହୀ ଗାଡି ଇଂଜିନରେ ଲଗାଯିବ ।

Get real time updates directly on you device, subscribe now.