fbpx

ଇଶାନ-ସାମସନ ନୁହେଁ, ବିଶ୍ୱକପରେ ଏହି ଖେଳାଳି କରିବେ ୱିକେଟ କିପିଙ୍ଗ! ଡେବ୍ୟୁରେ ଥିଲା ଶତକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଏବେ ପ୍ରସ୍ତୁତ ପ୍ଲେଇଙ୍ଗ ୧୧ ଚୟନ କରୁଛି ଟିମ ଇଣ୍ଡିଆ । ଏହି ଦଳରେ ରୋହିତ, ବିରାଟଙ୍କ ସମେତ ହାର୍ଦ୍ଦିକ, ଜାଡେଜା ଏବଂ ବୁମରାହ ତଥା ଅନ୍ୟ କିଛି ଖେଳାଳିଙ୍କ ସ୍ଥାନ ପ୍ରାୟତଃ ଧାର୍ଯ୍ୟ ହୋଇଯାଇଛି । ତେବେ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଦଳ ପାଇଁ ୱିକେଟ କିପିଙ୍ଗ କିଏ କରିବେ ସେ ନେଇ ଅଟକି ରହିଛି ସୂତାଖିଅ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଇଶାନ କିଶାନ ଏବଂ ସଞ୍ଜୁ ସାମସନ ଦମଦାର ପ୍ରଦର୍ଶନ କରି ନିଜକୁ ଦକ୍ଷ ବୋଲି ସାବ୍ୟସ୍ତ କରିଛନ୍ତି । କିନ୍ତୁ ଏହାପରେ ମଧ୍ୟ ସେମାନଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ବିଶ୍ୱକପ ପାଇଁ ୱିକେଟ କିପର ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଇଶାନ କିଶାନ । ଏହାବ୍ୟତୀତ ଶେଷ ମ୍ୟାଚରେ ସଞ୍ଜୁ ସାମସନ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ତେଣୁ ଏହି ଦୁଇ ଜଣ ବିଶ୍ୱକପ ଦଳରେ ସୁଯୋଗ ପାଇବାର ସମ୍ଭାବନା ରହିଥିବା ବେଳେ ସେମାନଙ୍କ ପାଇଁ ବିପଦ ସାଜିଛନ୍ତି ଜଣେ ଷ୍ଟାର ଖେଳାଳି । ଭାରତର ପୂର୍ବତନ ଉପଅଧିନାୟକ କେ.ଏଲ ରାହୁଲଙ୍କୁ ଏହି ଦାୟିତ୍ୱ ଦେଇପାରେ କ୍ରିକେଟ ବୋର୍ଡ । ଆହତ ସମସ୍ୟାରୁ ବାହାରି ରାହୁଲ ବର୍ତ୍ତମାନ ଅଭ୍ୟାସ କରୁଥିବାର ଏକ ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳିଛି । ଏହାପରେ ସେ ଖୁବଶୀଘ୍ର ପୁଣିଥରେ ଟିମ ଇଣ୍ଡିଆରେ କମବ୍ୟାକ କରିବାର ସୁଯୋଗ ପାଇପାରନ୍ତି ବୋଲି ଆଶା କରାଯାଉଛି । ତେବେ ବିଶ୍ୱକପ ଦଳରେ ତାଙ୍କୁ ସୁଯୋଗ ଦିଆଗଲେ ଇଶାନ କିଶାନ ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣେ ଦଳରୁ ବାଦ୍ ପଡ଼ିପାରନ୍ତି ।

ରାହୁଲଙ୍କୁ ଦଳରେ ସୁଯୋଗ ମିଳିଲେ ଭାରତର ମଧ୍ୟକ୍ରମ ଆହୁରି ମଜବୁତ ହେବ । ତେବେ ଏନସିଏରେ ସେ ନିଜକୁ ୱିକେଟ କିପିଙ୍ଗ ପାଇଁ ମଧ୍ୟ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ତେବେ ତାଙ୍କ ଅଭ୍ୟାସରୁ ଜଣାଯାଉଛି ଯେ ସେ ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିବାରେ ସଫଳ ହୋଇପାରନ୍ତି । ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କରଙ୍କ ସମେତ ରବି ଶାସ୍ତ୍ରୀ ଏବଂ ଅନ୍ୟ କ୍ରିକେଟ ବିଶେଷଜ୍ଞ ମଧ୍ୟ ରାହୁଲଙ୍କୁ ସୁଯୋଗ ଦେବା ଉଚିତ ବୋଲି କହିଛନ୍ତି । ସୂଚନା ଥାଉ କି, ୨୦୧୬ରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ହିଁ ଶତକ ଅର୍ଜନ କରିଥିଲେ ରାହୁଲ ।

Get real time updates directly on you device, subscribe now.