fbpx

ସେମି ଫାଇନାଲ ନୁହେଁ ‘ଶାମୀ’ ଫାଇନାଲ: ନ୍ୟୁଜିଲାଣ୍ଡକୁ ଭୂଆଁ ବୁଲାଇଲା ଶାମୀଙ୍କ ସ୍ୱିଙ୍ଗ

ମୁମ୍ବାଇ: ନ୍ୟୁଜିଲାଣ୍ଡକୁ ଚକମା ଦେଇ ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୪ ବର୍ଷ ପରେ ୨୦୧୯ ବିଶ୍ୱକପ ସେମି-ଫାଇନାଲର ପ୍ରତିଶୋଧ ନେଇଛି ରୋହିତ ସେନା । ଶାମୀଙ୍କ ସ୍ୱିଙ୍ଗକୁ ସାମ୍ନା କରିବାରେ ଫେଲ ମାରିଛନ୍ତି ନ୍ୟୁଜିଲାଣ୍ଡର ସମସ୍ତ କ୍ରିକେଟର । ସେମି ଫାଇନାଲ ମ୍ୟାଚରେ ୭ଟି ୱିକେଟ ନେଇ ଭାରତକୁ ବିଶ୍ୱକପ ଫାଇନାଳରେ ଏଣ୍ଟ୍ରି କରିବାରେ ସର୍ବଶ୍ରେଷ୍ଠ ଭୂମିକା ତୁଲାଇଛନ୍ତି ସ୍ୱିଙ୍ଗ ଷ୍ଟାର ମହମ୍ମଦ ଶାମୀ । ଏହାସହିତ ବିଶ୍ୱକପ ଇତିହାସରେ ୫୦ଟି ୱିକେଟ ନେବା ତାଲିକାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ନ୍ୟୁଜିଲାଣ୍ଡକୁ ୭୦ ରନରେ ମାତ୍ ଦେଇ ବିଶ୍ୱକପ ଫାଇନାଲର ଟିକେଟ ହାସଲ କରିଛି ଭାରତୀୟ ଦଳ ।

୯ ଜୁଲାଇ, ୨୦୧୯- ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତକୁ ପରାସ୍ତ କରି ବିଶ୍ୱକପ ଆଶା ଭାଙ୍ଗି ଦେଇଥିଲା କିୱି ଦଳ । ସେଦିନ ଭାରତର ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ଆଖିରୁ ଝରିଥିଲା ପରାଜୟର ଲୁହ । କିନ୍ତୁ ୪ ବର୍ଷ ପରେ ଆଜି ଏହି ମ୍ୟାଚରେ ପୁରୁଣା ପ୍ରତିଶୋଧକୁ ସୁଧ ସହ ସୁଝାଇ ଦେଇଛି ଟିମ ଇଣ୍ଡିଆ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠୁ କଡ଼ା-ଗଣ୍ଡା ହିସାବ ନେଇଛି ରୋହିତ ସେନା । ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ ସହିତ ବୋଲିଂରେ ମହମ୍ମଦ ଶାମୀଙ୍କ ସ୍ୱିଙ୍ଗ ନ୍ୟୁଜିଲାଣ୍ଡର ବିଶ୍ୱକପ ଆଶାକୁ ଧୂଳିସାତ୍ କରି ଦେଇଛି । ଏହାସହିତ ୧୨ ବର୍ଷ ପରେ ପୁଣିଥରେ ଦିନିକିଆ ବିଶ୍ୱକପ ଫାଇନାଲରେ ଜାଗା ପକ୍କା କରିଛି ଟିମ ଇଣ୍ଡିଆ ।

ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦେଖିଛି ମହମ୍ମଦ ଶାମୀଙ୍କ ରୌଦ୍ର ରୂପ । ଏହି ବିଶ୍ୱକପରେ ମହମ୍ମଦ ଶାମୀ ଲଗାତାର ଦମଦାର ବୋଲିଂ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମହମ୍ମଦ ଶାମୀ ଏପର୍ୟ୍ୟନ୍ତ ୬ଟି ମ୍ୟାଚରେ ମୋଟ ୨୩ ୱିକେଟ୍ ନିଜ ନାମରେ କରି ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ସେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହାବ୍ୟତୀତ ବିଶ୍ୱକପରେ ମୋଟ ୫୧ଟି ୱିକେଟ ହାସଲ କରିଛନ୍ତି ଶାମୀ । ଏହି ତାଲିକାରେ ସେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ବୋଲର ପାଲଟିଛନ୍ତି । ତେବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ମହମ୍ମଦ ଶାମୀ ।

ସୂଚନା ଥାଉ କି, ପ୍ରଥମେ ବ୍ୟାଟିଂ କରି ଭାରତ ନ୍ୟୁଜିଲାଣ୍ଡକୁ ୩୯୮ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ପିଛା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଏବଂ ଡାରିଲ ମିଚେଲ ଦଳକୁ ବିଜୟ ଦେବା ପାଇଁ ଚେଷ୍ଟା କରିଥିଲେ । ଡାରିଲ ମିଚେଲ ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଏହା ସୁଫଳ ଦେଇ ପାରିନି । ମାତ୍ର ୧୧୯ ବଲରୁ ୯ଟି ଚୌକା ଏବଂ ୭ଟି ବିଶାଳ ଛକା ସହ ୧୩୪ ରନର ଏକ ଧୂଆଧାର ଇନିଂସ ଖେଳିଛନ୍ତି ମିଚେଲ । କିନ୍ତୁ ଶାମୀଙ୍କ ସ୍ୱିଙ୍ଗ ବଲ ଆଗରେ ନ୍ୟୁଜିଲାଣ୍ଡର ବାକି ସମସ୍ତ ଖେଳାଳି ଫେଲ ମାରିଛନ୍ତି । ଟିମ ଇଣ୍ଡିଆ ତରଫରୁ ମହମ୍ମଦ ଶାମୀ ସର୍ବାଧିକ ୭ଟି ୱିକେଟ ହାସଲ କରି ଏକା ନ୍ୟୁଜିଲାଣ୍ଡ ଉପରେ ଭାରି ପଡ଼ିଛନ୍ତି । ଏହାବ୍ୟତୀତ ଥିବା ବେଳେ ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ଶାମୀଙ୍କ ଘାତକ ବୋଲିଂରେ ଭାରତ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ବିଶ୍ୱକପରେ ତୃତୀୟ ଥର ଚମ୍ପିଆନ୍ ପାଲଟିବା ପାଇଁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି ରୋହିତ ସେନା ।

Get real time updates directly on you device, subscribe now.