ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ଆଜିଠୁ ନାମାଙ୍କନ

ନୂଆଦିଲ୍ଲୀ: ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ବିଧାନସଭା ନୋଟିସ୍ ବୋର୍ଡରେ ଲାଗିଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଆରମ୍ଭ ହେବ ଓ ୨୯ ତାରିଖରେ ନାମାଙ୍କନ ଶେଷ ହେବ ।

ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ ଗଣିତ ଏହାପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ନିର୍ବାଚନ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି ।

ଗୁରୁବାର ପ୍ରେସମିଟରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । କହିଥିଲେ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଜୁନ୍ ୨୯ । ଏହାପରେ ଜୁନ୍ ୩୦ ତାରିଖ ନାମାଙ୍କନ ଯାଞ୍ଚ ଏବଂ ଜୁଲାଇ ୨ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର କେବଳ ନୂଆଦିଲ୍ଲୀରେ ମିଳିବ ଏବଂ ସେହିଠାରେ ହିଁ ଦାଖଲ କରାଯିବ । ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ସହ ୫୦ ଜଣ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ । ସାଂସଦମାନେ ସଂସଦରେ, ବିଧାୟକମାନେ ବିଧାନସଭାରେ ଭୋଟଦେବେ । ସୂଚନାଯୋଗ୍ୟ, ଜୁଲାଇ ୨୪ ରେ ସରୁଛି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।