fbpx

ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ୍ କରାଯାଇଛି । ଯଦି ଜଣେ ବିଧାୟକ ଚାହିଁବେ, ତେବେ ୧୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିଶ କରିପାରିବେ । ଏ କ୍ଷେତ୍ରରେ କିଛି ନିୟମକୁ ଅନୁସରଣ କରିବାକୁ ପଡ଼ିବ । ତେବେ ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ଭିତରେ ହୋଇପାରିବ ଓ ଜଣେ ଶିକ୍ଷକ ଚାହିଁଲେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବ ନାହିଁ। ଏପରିକି ଗ୍ରାମାଞ୍ଚଳର ଶିକ୍ଷକଙ୍କୁ ସହରାଞ୍ଚଳ ସ୍କୁଲକୁ ଟ୍ରାନ୍ସଫର କରାଯାଇ ପାରିବ ନାହିଁ । ପୂର୍ବରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଡ଼ା କଟକଣା ଥିବାବେଳେ ଚଳିତ ବର୍ଷ ସରକାର ଏହି ନିୟମକୁ କୋହଳ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୨ରେ ବିଦ୍ୟାଳୟ ଓ ଗଣାଶିକ୍ଷା ସଚିବ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ । ବିଧାୟକମାନେ ନିଜ ତରଫରୁ ୧୦ ଜଣ ଶିକ୍ଷକଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ତେବେ ବିଧ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବଦଳି କେବଳ ଜିଲ୍ଲା ଭିତରେ ହୋଇପାରିବ । ଅଧିକାଂଶ ଶିକ୍ଷକ ସହରାଞ୍ଚଳକୁ ଟ୍ରାନ୍ସଫର ହୋଇ ଯିବାକୁ ଇଚ୍ଛୁକ ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.