fbpx

ଏଣିକି କୋଭିଡ୍ ଟିକାକରଣ ସାର୍ଟିଫିକେଟ ନଥିଲେ ମିଳିବନି ରାସନ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନକୁ ବୃଦ୍ଧି କରିବା ଲକ୍ଷ୍ୟରେ ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ-୧୯ ଟିକାକରଣ ନେଇ ବିଭିନ୍ନ ରାଜ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ପ୍ୟାନ୍ କାର୍ଡ, ପାସପୋର୍ଟ ତିଆରି କରିବା ପାଇଁ କରୋନା ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ତେବେ ବର୍ତ୍ତମାନ ରାସନ କାର୍ଡରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଏଣିକି କୋଭିଡ୍ ସାର୍ଟିଫିକେଟ ଦେଖାଇବା ପରେ ଆପଣଙ୍କୁ ରାସନ ସାମଗ୍ରୀ ମିଳିପାରିବ । ଏହି ନୂଆ ବ୍ୟବସ୍ଥା ଉତ୍ତରପ୍ରଦେଶର ଆଲିଗଡ଼ରେ ଲାଗୁ କରାଯାଇଥିବା ଜଣାପଡ଼ିଛି ।

କିଛିଦିନ ପୂର୍ବରୁ ୟୁପିର ଗାଜିଆବାଦର ଆରଟିଓରେ ଡିଏଲ ପାଇଁ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିିଫିକେଟକୁ ବାଧ୍ୟତାମୂଳକ କରାଯାଇଥିଲା । ଏବେ ରାସନ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଛି । ଟିକାକରଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଲିଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ରାଶନ ନେବାକୁ ହେଲେ ପ୍ରତ୍ୟେକ ପରିବାରର ଜଣକୁ ଟିକା ନେଇଥିବା ଦରକାର । ଭ୍ୟାକ୍ସିନେସନ ସାର୍ଟିଫିକେଟ ଦେଖିବା ପରେ ରାସନ କର୍ମଚାରୀମାନେ ରାଶନ ବଣ୍ଟନ ବିଷୟରେ ନିଷ୍ପତ୍ତି ନେବେ । ଜିଲ୍ଲାରେ ଗତ ୨୦ରୁ ରାସନ ବିତରଣ ଆରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଇବା ଲକ୍ଷ୍ୟରେ ଏହି ନିୟମ ଲାଗୁ କରାଯାଇଛି । କିଛି ରାଜ୍ୟରେ ଦୋକାନୀ, ଟ୍ୟାକ୍ସି ଓ ଅଟୋଚାଳକଙ୍କ ପାଇଁ ମଧ୍ୟ ଏହି ସର୍ତ୍ତ ରଖାଯାଇଛି । ଯଦି ଆପଣ କରୋନା ଭ୍ୟାକ୍ସିନ ନେଇନଥିବେ, ତେବେ ନିଜର କାର୍ଯ୍ୟ ଦ୍ୱିତୀୟ ଥର ପାଇଁ ଆରମ୍ଭ କରିବାକୁ ଅନୁମତି ମିଳିବ ନାହିଁ । ଏପରି ଭାବେ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକାକରଣ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.