ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ୍) ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ବୋର୍ଡ ୱେବସାଇଟରେ ଜାରି କରାଯାଇଛି । ନଭେମ୍ବର ମାସ ୫ ତାରିଖରେ ୩୩୪ଟି ପରୀକ୍ଷା କେନ୍ଦ୍ରରେ ୫୧ ହଜାର ୯୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଉକତ ପରୀକ୍ଷାରେ ୧୭୬୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୩ରେ ଏନଆରଟିଏସ୍ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ସେହି ଅବସରରେ ଅକ୍ଟୋବର ୨୩ରେ ହେବାକୁ ଥିବା ଏନଆରଟିଏସ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ୫ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ଗୋଷଣା କରାଯାଇଥିଲା । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।