fbpx

ବ୍ରିକ୍ସ ଦେଶର ଏନଏସଏ ବୈଠକ, ଚୀନ୍ ଓ ରୁଷକୁ ଡୋଭାଲ ପଢାଇବେ ଶାନ୍ତିର ପାଠ, ୟୁକ୍ରେନ ଯୁଦ୍ଧ ଓ ପୂର୍ବ ଲଦାଖରେ ସ୍ଥିତି ଉପରେ ମଧ୍ୟ ହେବ ଚର୍ଚ୍ଚା

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର ଜୋହାନ୍ସବର୍ଗରେ ହେଉଥିବା ବ୍ରିକ୍ସ ଦେଶର ଏନଏସଏ ବୈଠକରେ ବରିଷ୍ଠ ଚୀନ୍ ରାଜନୀତିଜ୍ଞ ୟାଙ୍ଗ ଜିଏଚି ଓ ରୁଷ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପେନତ୍ରୁସେଭଙ୍କ ସହିତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କୁ ଭେଟିବେ । ୨୨ରୁ ୨୪ ଅଗଷ୍ଟ ମଧ୍ୟରେ ହେଉଥିବା ବ୍ରିକ୍ସ ଦେଶର ଶିଖର ସମ୍ମିଳନୀ ପୂର୍ବରୁ ଏନଏସଏ ସ୍ତରର ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହାର ଏଜେଣ୍ଡା ରହିଛି ୟୁକ୍ରେନ ଯୁଦ୍ଧ, ଇଣ୍ଡୋ ପାସିଫିକ୍, ଧାର୍ମିକ କଟ୍ଟରପନ୍ଥୀ ଓ ଆତଙ୍କବାଦ ପରି ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ।

ଏହି ଏନଏସଏ ସ୍ତରର ବୈଠକରେ ସଂଯୁକ୍ତ ଆରବ ରାଷ୍ଟ୍ରର ସୁରକ୍ଷା ପରାମର୍ଶଦାତା ତହନୁନ ବିନ ଜାୟଦ ଅଲ ନାହୟାନ ଓ ସାଉଦୀ ଆରବର ଏନଏସଏ ମୁସାଦ ବିନ ମୋହମ୍ମଦ ଅଲ ଏୱାନଙ୍କ ପରି ବିଶେଷ ଆମନ୍ତ୍ରିତ ସଦସ୍ୟ ମଧ୍ୟ ଭାଗ ନେବେ । ମିଳିଥିବା ସୂତ୍ର ଅନୁଯାୟୀ ଏନଏସଏ ଡୋଭାଲ ବ୍ରିକ୍ସ ସମ୍ମିଳନୀରେ ନିଜ ସମକକ୍ଷଙ୍କୁ ଭେଟିବେ କିନ୍ତୁ ଦ୍ୱିପକ୍ଷୀୟ ରୂପରେ ତାଙ୍କର ୟାଙ୍ଗ ଜିଏଚୀଙ୍କ ସହ କଥାବର୍ତ୍ତା ହେବ । ୟାଙ୍ଗ ଜିଏଚୀ ଚୀନରେ ବିଦେଶ ମାମଲା ଆୟୋଗର ପୂର୍ବ ନିର୍ଦ୍ଦେଶକ ଥିଲେ । ତେବେ ଦୁଇ ନେତାଙ୍କର ଏହି ଭେଟଭାଟ ମେ ୨୦୨୦ରୁ ପୂର୍ବ ଲଦାଖରେ ଚୀନ୍ ସୈନିକଙ୍କ ଆକ୍ରମକତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏବେ ବି ପୂର୍ବ ଲଦାଖରେ ସ୍ଥିତି ଅନିଶ୍ଚିତତାରେ ଭରି ରହିଛି । ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏବେ ବି ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ଠାରୁ ପଛକୁ ହଟିନାହିଁ । ତେଣୁ ଆଶା କରାଯାଉଛିଡୋଭାଲ ଚୀନ ପ୍ରତିପକ୍ଷଙ୍କ ସାମ୍ନାରେ ନିୟନ୍ତ୍ରଣ ରେଖାର ପଶ୍ଚିମ ଓ ପୂର୍ବ କ୍ଷେତ୍ରରେ ଉତ୍ତେଜନା ହ୍ରାସ କରିବା ପ୍ରସଙ୍ଗକୁ ଉଠାଇବେ । ସେହିପରି ଡୋଭାଲ ରୁଷ, ୟୁଏଇ ଓ ସାଉଦି ଆରବର ସୁରକ୍ଷା ପରାମର୍ଶଦାତାଙ୍କ ସହ ଆଲୋଚନା କରିବେ ଓ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଷୟରେ ବିଚାରର ଆଦାନ ପ୍ରଦାନ କରିବେ ।

Get real time updates directly on you device, subscribe now.