fbpx

ଚାହା ପିଇବାରେ ବ୍ୟସ୍ତ ଥିଲେ ନର୍ସ: ସେପଟେ ଇ-ରିକ୍ସାରେ ପ୍ରସବ କଲେ ଗର୍ଭବତୀ ମହିଳା

ବିହାର: ପୁଣି ଦେଖିବାକୁ ମିଳିଛି ମେଡିକାଲ କର୍ମଚାରୀଙ୍କ ମନମାନି । ରୋଗୀଙ୍କୁ ସୁରକ୍ଷା ଏବଂ ସେବା ଯୋଗାଇ ଦେବା ଅପେକ୍ଷା ସେମାନଙ୍କ ପାଇଁ ବେଶୀ ଜରୁରୀ ହୋଇ ପଡିଛି ଚାହା ପିଇବା ଏବଂ ଖଟି କରିବା । ହସ୍ପିଟାଲ ପରିସରରେ ପହଞ୍ଚି ସାରିବା ପରେ ମଧ୍ୟ ମେଡିକାଲ ବାହାରେ ଏକ ଇ-ରିକ୍ସାରେ ପ୍ରସବ କରିଛନ୍ତି ଜଣେ ଗର୍ଭବତୀ ମହିଳା । ଏଭଳି ଏକ ଘଟଣା ଦେଶର ଚିକିତ୍ସା ଏବଂ ସେବା କ୍ଷେତ୍ରରେ ଏକ କଳଙ୍କ ସଦୃଶ ହୋଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ସୁପୌଲ ସଦର ହସ୍ପିଟାଲରେ । ବିକାଶ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ବବିତା ଦେବୀଙ୍କୁ ନେଇ ମେଡିକାଳରେ ପହଞ୍ଚିଥିଲେ । ଇ-ରିକ୍ସା ସାହାଯ୍ୟରେ ମେଡିକାଲରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ବଢି ସାରିଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସେବା ଯୋଗାଇ ଦେବା ପାଇଁ ସେଠାରେ କୌଣସି ନର୍ସ ଉପସ୍ଥିତ ନଥିଲେ । କିନ୍ତୁ ନର୍ସମାନଙ୍କୁ ଡାକିବାରୁ ଚାହା ପିଇସାରି ସେ ରୋଗୀଙ୍କ ପାଖକୁ ଆସିବେ ବୋଲି କହିଥିଲେ । ବାରମ୍ବାର ନେହୁରା ହେବା ପରେ ମଧ୍ୟ ଚାହା ଛାଡି ଆସିବା ପାଇଁ ପ୍ରସ୍ତୁତ ନଥିଲେ ନର୍ସ । ତେବେ ଏହାକୁ ନେଇ ସେଠାରେ ଉପସ୍ଥିତ କିଛି ସାମ୍ବାଦିକ ନର୍ସଙ୍କୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି କାର୍ଯ୍ୟରତ ନର୍ସ । ଏହାପରେ ବବିତା ଦେବୀଙ୍କୁ ମେଡିକାଲ ଭିତରକୁ ଦେବା ପାଇଁ ମନା କରି ଦେଇଥିଲେ ସେମାନେ ।

ଫଳରେ ଅନେକ ଯନ୍ତ୍ରଣା ପରେ ସେ ଆସିଥିବା ଇ-ରିକ୍ସାରେ ହିଁ ପିଲାକୁ ଜନ୍ମ ଦେଇଛନ୍ତି ବବିତା ଦେବୀ । କିନ୍ତୁ ନର୍ସମାନଙ୍କର ଏପରି ବ୍ୟବହାର ଏବଂ ଆଚରଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଡଃ ଇନ୍ଦ୍ରଜିତ ପ୍ରସାଦ । ଏଥିସହିତ ଘଟଣାର କଡାକଡି ଭାବେ ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରୋଗୀଙ୍କ ପ୍ରତି ମେଡିକାଲ କର୍ମଚାରୀଙ୍କ ଏପରି ଆଚରଣ ସେବା ଏବଂ ଚିକିତ୍ସା କ୍ଷେତ୍ରରେ ଏକ ନିନ୍ଦନୀୟ ବିଷୟ ପାଲଟିଛି ।

Get real time updates directly on you device, subscribe now.