fbpx

OAS ସ୍ତରରେ ଅଦଳବଦଳ: BMC ଅତିରିକ୍ତ କମିଶନର ହେଲେ ଘାସିରାମ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱରର ମହାନଗର ନିଗମ (ବିଏମସି)ର ନୂଆ ଅତିରିକ୍ତ କମିଶନର ଭାବେ ବରିଷ୍ଠ ଓଏଏସ ଅଧିକାରୀ ଘାସିରାମ ମୁର୍ମୁ ନିଯୁକ୍ତି ପାଇଛନ୍ତି । ଏନେଇ ରାଜ୍ୟ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସେକ୍ରେଟାରୀ ଭାବେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀକୁ ଟ୍ରାନ୍ସଫର କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରରେ ପ୍ରକଳ୍ପ ନିର୍ଦ୍ଦେଶକ (ଡିୟୁଡିଏ) ଭାବେ କାର୍ଯ୍ୟରତ ଥିବା ଘାସିରାମ ମୁର୍ମୁଙ୍କୁ ବିଏମସି ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

ବୁର୍ଲା ଭୀମସାରରେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିବା ପ୍ରଫୁଲ୍ଲ କୁଜୁରଙ୍କୁ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ (ଡିୟୁଡିଏ) ଭାବେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ କଳାହାଣ୍ଡି ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ, ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ (ଡିୟୁଡିଏ) ସୁଦର୍ଶନ ସଏଙ୍କୁ ବୁର୍ଲା ଭୀମସାର ରେଜିଷ୍ଟ୍ରାର (ପ୍ରଶାସନ) ଭାବେ ବଦଳି କରାଯାଇଛି । ତେବେ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କୁ ଟ୍ରାନ୍ସଫରକୁ ବାତିଲ କରି ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ଗତ ମାସ ୧୩ ତାରିଖରେ ଓଏଏସ ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା । ମୋଟ ୨୯୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଥିଲା ।

Get real time updates directly on you device, subscribe now.