fbpx

ଦିନିକିଆ ବିଶ୍ୱକପ ହେବ ‘ବିଶ୍ୱ ଆତଙ୍କୀ କପ୍’: ଫୋନରେ ଧମକ ପରେ ପନ୍ନୁନ ବିପକ୍ଷରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏହି ବିଶ୍ୱକପକୁ ଭୟାନକ ରୂପଦେବା ପାଇଁ ଆସୁଛି ଧମକ । ଦିନିକିଆ ବିଶ୍ୱକପକୁ ବିଶ୍ୱ ଆତଙ୍କ କପ୍ ରେ ବଦଳାଇବା ପାଇଁ ଧମକ ଦେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଗୁଜୁରାଟ ପୋଲିସ । ତେବେ ଏ ଅଭିଯୋଗ ପରେ ପ୍ରତିବନ୍ଧିତ ସଂଗଠନ ‘ସିଖ୍ସ ଫର ଜଷ୍ଟିସ’ର ପ୍ରମୁଖ ଗୁରୁପତୱନ୍ତ ସିଂହ ପନ୍ନୁନ ବିପକ୍ଷରେ ମାମଲା ରୁଜୁ ହୋଇଛି । ଶୁକ୍ରବାର ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଅହମ୍ମଦାବାଦ ପୋଲିସର ସାଇବର ବ୍ରାଞ୍ଚ ପ୍ରାଥମିକ ତଦନ୍ତରେ କହିଛନ୍ତି ଯେ, ପନ୍ନୁନ ଏକ ବିଦେଶୀ ନମ୍ବରରୁ ଏକ ଭଏସ ମେସେଜ(ପୂର୍ବରୁ ରେକର୍ଡ) ଜରିଆରେ ସାରା ଦେଶକୁ ଧମକ ଦେଇଥିଲା । ତେବେ ଶାଖାର ସବ-ଇନ୍ସପେକ୍ଟର ଏଚ.ଏନ ପ୍ରଜାପତିଙ୍କ ଦ୍ୱାରା ରୁଜୁ ହୋଇଥିବା ମାମଲାରେ କହିଛନ୍ତି ଯେ, କିଛି ଲୋକଙ୍କୁ ଅଜଣା ନମ୍ବରରୁ ପୂର୍ବରୁ ରେକର୍ଡ ହୋଇଥିବା ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି । ଏହି ମେସେଜରେ କୁହାଯାଇଛି ଯେ, ଅକ୍ଟୋବର ୫ ତାରିଖରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ‘ବିଶ୍ୱ ଆତଙ୍କ କପ୍’ରେ ବଦଳିଯିବ । ଶିଖ୍ସ ଫର ଜଷ୍ଟିସ ଖାଲିସ୍ତାନୀ ପତାକା ସହ ଅହମ୍ମଦାବାଦ ଉପରେ ଆକ୍ରମଣ କରିବାକୁ ଯାଉଛି । ସହୀଦ ନିଜ୍ଜରଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନିଆଯିବ ବୋଲି ଏଥିରେ ଧମକ ଦିଆଯାଇଥିଲା । ତେବେ ଗୁଳିର ଜବାବ ମାନପତ୍ର ସହ ଦେବୁ । ଏହି ଇଭେଣ୍ଟ କ୍ରିକେଟ ବିଶ୍ୱକପ ନୁହେଁ, ବରଂ ବିଶ୍ୱ ଆତଙ୍କୀ କପ୍ ର ଶୁଭାରମ୍ଭ ହେବ ବୋଲି ଫୋନ୍ ରେ ଧମକରେ କୁହାଯାଇଛି ।

ରିପୋର୍ଟ ଅନୁସାରେ, ଗୁରୁପତୱନ୍ତ ସିଂହ ପନ୍ନୁନ ବିଦେଶରୁ ଶିଖ୍ ଫର୍ ଜଷ୍ଟିସ ନାମକ ଏକ ସଂଗଠନ ଚଳାଉଥିବା ବେଳେ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି । ତେବେ ଏଫଆଇଆର ଅନୁସାରେପନ୍ନୁନ ଶିଖ୍ ଏବଂ ଦେଶର ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଭୟ ଓ ଶତ୍ରୁତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା । ଏହାସହିତ ଦେଶରେ ଆତଙ୍କବାଦୀ ଗତିବିଧିରେ ମଧ ସେ ସାମିଲ ରହିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.