ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆସିଛି ଏକ ଦୁଃଖ ଖବର । ଦେଶ ପାଇଁ ଲଢ଼େଇ କରି ପ୍ରାଣବଳୀ ଦେଇଛନ୍ତି ପୁଣି ଜଣେ ଓଡ଼ିଆ ଯବାନ । ତ୍ରିପୁରା ସୀମାରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଓଡ଼ିଆ ଯବାନ ଈଶ୍ୱର ଦୋରାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାରରେ କାନ୍ଦ ବୋବାଳିରେ ଫାଟୁ ପଡ଼ୁଛି ।
ସୂଚନା ମୁତାବକ, ଓଡ଼ିଆ ଯବାନ ଈଶ୍ୱରଙ୍କ ଘର ହେଉଛି ରାଜ୍ୟର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡିରେ । ଗତ ୨୦୦୯ ମସିହାରେ ଈଶ୍ୱର ବିଏସଏଫରେ ଯୋଗ ଦେଇଥିଲେ । ତ୍ରିପୁରା ସୀମାରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଈଶ୍ୱରଙ୍କ ଅଚାନକ ମୃତ୍ୟୁ ନେଇ ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି । ତେବେ ଈଶ୍ୱରଙ୍କର ମୃତ୍ୟୁ କାରଣ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ନାହିଁ ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ମାସ ୨୨ ତାରିଖରେ ରାଜସ୍ଥାନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିଲେ । ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ସଚିଦାନନ୍ଦ ପ୍ରଧାନ ସହିଦ ହୋଇଥିଲେ । ସେହିପରି ଅଗଷ୍ଟ ମାସରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ । ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡରେ ହୋଇଥିବା ବେଳେ ସେ ସିଆରପିଏଫରେ କାର୍ଯ୍ୟରତ ଥିଲେ । ଝାଡ଼ଖଣ୍ଡରେ ନକ୍ସଲମାନେ ଯବାନଙ୍କ ଉପରେ କରିଥିବା ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ ।