fbpx
BSKY
BJD MC SKY
BJD MS SKY

ଓଡ଼ିଆ IASଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ୱ: ବିଦ୍ୟୁତ ବିହାରୀ ସ୍ୱାଇଁ UPSCର ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜାତୀୟ ସ୍ତରରେ ଚମକିଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ଆଉ ଜଣେ ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି । ଓଡ଼ିଆ ଆଇଏଏସ ଅଧିକାରୀ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଗତ ମାସ ୩୧ ତାରିଖରେ ୟୁପିଏସସି ଅଧ୍ୟକ୍ଷ ଡ. ମନୋଜ ସୋନି ଶ୍ରୀ ସ୍ୱାଇଁଙ୍କୁ ଶପଥ ପାଠ କରାଇଛନ୍ତି ।

୧୯୮୮ ବ୍ୟାଚର ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଶ୍ରୀ ସ୍ୱାଇଁ ପୂର୍ବରୁ ଅଣୁ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ । ୟୁପିଏସସିରେ ଜଣେ ଅଧ୍ୟକ୍ଷଙ୍କ ସହିତ ୧୦ ଜଣ ସଦସ୍ୟ ରହିବାର ନିୟମ ରହିଥାଏ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟ ଭାବେ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଓ ସବର୍ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀଙ୍କୁ ୟୁପିଏସସି ପକ୍ଷରୁ ଚୟନ କରାଯାଇଥାଏ ।

ୟୁପିଏସସିର ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଜଣେ ଅଧିକାରୀ ୬ ବର୍ଷ ପର୍ଯ୍ୟନ୍ତ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥାନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ଶ୍ରୀ ସ୍ୱାଇଁ ୬୦ ବର୍ଷ ବୟସରେ ପଦାର୍ପଣ କରିବେ । ୧୯୮୯ ଓ ୨୦୧୮ ମସିହା ମଧ୍ୟରେ ଶ୍ରୀ ସ୍ୱାଇଁ ଗୁଜରାଟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ସ୍ୱାଇଁଙ୍କ ନୂଆ ନିଯୁକ୍ତି ରାଜ୍ୟବାସୀଙ୍କ ବଡ଼ ଗୌରବର କଥା ।

Get real time updates directly on you device, subscribe now.