fbpx

ଓଡ଼ିଆ IAS ସୁନାମ ଆଣିଲେ: ମିଳିତ ଜାତିସଂଘର ମହାସଭା କକ୍ଷରେ ଅଭିଭାଷଣ ଦେଲେ ପି.କେ ମିଶ୍ର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନେକ ପ୍ରଶାସନିକ ଅଧିକାରୀ ଓ ରାଜନେତା ଜାତୀୟ ସ୍ତରର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅଧିଷ୍ଠିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପ୍ରମୋଦ କୁମାର ମିଶ୍ର । ତେବେ ନିକଟରେ ଶ୍ରୀ ମିଶ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ମିଳିତ ଜାତିସଂଘର ମହାସଭା କକ୍ଷରେ ପୂର୍ଣ୍ଣକାଳୀନ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଅଭିଭାଷଣ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ବିପର୍ଯ୍ୟୟ ପରି ବିପତ୍ତିକୁ ହ୍ରାସ କରିବାକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ଏଥିପାଇଁ ପାଣ୍ଠି ଯୋଗାଣକୁ ବୃଦ୍ଧି କରାଯାଇଛି । ଏଥିସହିତ ବିପର୍ଯ୍ୟୟ ବିପତ୍ତିକୁ ହ୍ରାସ କରିବା, ପ୍ରସ୍ତୁତି, ମୁକାବିଲା ଓ ପୁନଃନିର୍ମାଣ ପାଇଁ ନିଜର ପାଣ୍ଠି ଯୋଗାଣ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଅଣାଯାଇଛି । ୨୦୨୧ରୁ ୨୦୨୫ ମଧ୍ୟରେ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଇଁ ରାଜ୍ୟ ଓ ସ୍ଥାନୀୟ ସରକାରଙ୍କ ପାଖରେ ପାଖାପାଖି ୬ ବିଲିୟନ ଆମେରିକୀୟ ଡଲାର ପାଣ୍ଠି ଉପଲବ୍ଧ ହୋଇ ପାରିଛି ।

ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ବାତ୍ୟାଜନିତ ମୃତ୍ୟୁ ହାରକୁ ୨ ପ୍ରତିଶତ କମାଇବାରେ ସକ୍ଷମ ହୋଇ ପାରିଛି । ଏଥିସହିତ ଭୂସ୍ଖଳନ, ଗ୍ଲାସିୟର ବିସ୍ଫୋରଣ ଜନିତ ବନ୍ୟା, ଭୂକମ୍ପ, ଜଙ୍ଗଲ ନିଆଁ, ବଜ୍ରପାତ ଓ ଗ୍ରୀଷ୍ମପ୍ରବାହ ପରି ବିପର୍ଯ୍ୟୟଜନିତ କ୍ଷତିକୁ ହ୍ରାସ କରିବା ନେଇ ଅନେକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବିକଶିତ କରାଯାଇଛି । ଜନସାଧାରଣ କିଭଳି ଆଗୁଆ ଚେତାବନୀ ପାଇ ପାରିବେ ସେଥିପାଇଁ ଏକ କମନ୍ ଆଲର୍ଟ ପ୍ରୋଟୋକଲ ଲାଗୁ କରାଯାଉଛି । ଏହା ଦେଶର ୧୩୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ଆଞ୍ଚଳିକ ଭାଷାରେ ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ ।

Get real time updates directly on you device, subscribe now.