ଗଞ୍ଜାମର ଓଡିଆ ସଂସ୍କୃତ ପଣ୍ଡିତଙ୍କ ନିଆରା ପ୍ରୟାସ, ନରେନ୍ଦ୍ର ମୋଦୀଙ୍କ ଉପରେ 1200ଟି ଶ୍ଲୋକରେ ଲେଖିଲେ ମହାକାବ୍ୟ

ସଂସ୍କୃତ ଭାଷାରେ ମହାକାବ୍ୟ ଲେଖିଲେ ଗଞ୍ଜାମର ଆସୋସିଏଟ ପ୍ରଫେସର ସୋମନାଥ ଦାସ । 12ଟି ଅଧ୍ୟାୟରେ ରହିଛି 1200ଟି ଶ୍ଲୋକ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମହାକାବ୍ୟ ଲେଖିଲେ ଓଡିଆ ସଂସ୍କୃତ ପଣ୍ଡିତ । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସଂସ୍କୃତ ବିଦ୍ୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଏବଂ କାର୍ଯ୍ୟ ଉପରେ ସଂସ୍କୃତ ଭାଷାରେ ଏକ ‘ମହାକାବ୍ୟ’ ରଚନା କରିଛନ୍ତି ।

700 ପୃଷ୍ଠାର ମହାକାବ୍ୟ- ତିରୁପତିର ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ସୋମନାଥ ଦାସଙ୍କ ଦ୍ୱାରା ରଚିତ ଏବଂ ଗୁଜରାଟର ଭେରାବଲର ସୋମନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ 700 ପୃଷ୍ଠାର କୃତି ନରେନ୍ଦ୍ର ଆରୋହଣମ୍ ଗତ ସପ୍ତାହରେ ଭେରାବଲରେ ଅନୁଷ୍ଠିତ ଏକ ଯୁବ ମହୋତ୍ସବରେ ଉନ୍ମୋଚିତ ହୋଇଥିଲା ।

ମୋଦୀଙ୍କ ଜୀବନ ଯାତ୍ରାକୁ ନେଇ ମହାକାବ୍ୟ-  ଏହି ପୁସ୍ତକରେ 12ଟି ଅଧ୍ୟାୟରେ 1200ଟି ଶ୍ଲୋକ ରହିଛି । ଏହା ଉଭୟ ଇଂରାଜୀ ଏବଂ ହିନ୍ଦୀରେ ବର୍ଣ୍ଣନା କରାଯାଇଛି  । ଏଥିରେ ମୋଦିଙ୍କ ଜୀବନ ଯାତ୍ରା, ତାଙ୍କ ପିଲାଦିନର କାର୍ଯ୍ୟକଳାପ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଯାଏଁ ସବୁ କିଛି ବର୍ଣ୍ଣନା କରାଯାଇଛି ।

ଏନେଇ ସୋମଲନାଥ ଦାସ କହିଛନ୍ତି, “ଗୁଜରାଟର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ମୋଦି ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି ଏବଂ ଆଜିକାଲି ବିଶ୍ୱର ସମସ୍ତ ଯୁବପିଢ଼ିଙ୍କ ପାଇଁ ଜଣେ ଆଦର୍ଶ ପାଲଟିଛନ୍ତି। ତାଙ୍କର ତପସ୍ୱୀ ରାଜନୈତିକ ଯାତ୍ରା ଏବଂ ଜୀବନର ସଂଘର୍ଷ ସର୍ବଦା ଇତିହାସରେ ଲିପିବଦ୍ଧ ରହିବ। ତେଣୁ ମୁଁ ଏପରି ଜଣେ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ କାର୍ଯ୍ୟକୁ ସଂସ୍କୃତରେ ଲେଖିବାକୁ ନିଷ୍ପତ୍ତି ନେଇଥିଲି ।”

ତେବେ ସୋମନାଥଙ୍କୁ ଏହି ବହି ସମାପ୍ତ କରିବା ପାଇଁ 4 ବର୍ଷରୁ ଅଧିକ ସମୟ ଲାଗିଥିଲା । ଏଥିରେ ଅନେକ ବିଦ୍ବାନ ବ୍ୟକ୍ତି ମଧ୍ୟ ନିଜର ମତ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୋଦୀଙ୍କୁ କେବେ ଭେଟିନାହିଁ । କିନ୍ତୁ ବିଭିନ୍ନ ପୁସ୍ତକ, ପତ୍ରିକା, ତାଙ୍କର ଅଭିଭାଷଣ ଏବଂ ମନ କି ବାତ୍ ଶୁଣି ତଥ୍ୟ ସଂଗ୍ରହ କରିଛନ୍ତି ।