ପାକର ବିଷବୋଳା ବେନଟ୍ ବି ପରାସ୍ତ କରିପାରିଲାନି ବୀର ବିପିନଙ୍କୁ, ଜାଣନ୍ତୁ ପୂରା ଘଟଣା
କାର୍ଗିଲ୍ ହୀରୋଙ୍କ ଝିଅ କହିଲେ ଯୁଦ୍ଧବେଳର କଥା
ଓଡ଼ିଶା ଭାସ୍କର ବ୍ୟୁରୋ: କୁହନି ଆଉ ସେ କାର୍ଗିଲ୍ କଥା । ଥରି ଯାଉଛି ଦେହ । ମନରେ ପଶି ଯାଉଛି ଛନକା । ଏମିତି ଆଉ କାହା ଜୀବନରେ ନଆସୁ । ଆମକୁ ସୁରକ୍ଷାର ଅଭେଦ୍ୟ ବଳୟ ଦେଇଆସୁଥିବା ଏ ଦେଶର ବୀର ଯବାନମାନେ ସର୍ବଦା ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସେମାନଙ୍କ ପରିବାର ହସଖୁସିରେ ରହୁ । ଏଭଳି ମତ ଦେଇଛନ୍ତି ଜଣେ ବୀର ଯବାନଙ୍କ ଝିଅ । ସେ ପିଲାଟି ବେଳୁ ପରୋକ୍ଷରେ ଜାଣି ପାରିଛନ୍ତି ଯୁଦ୍ଧର ବିଭୀଷିକା ଆଉ ପ୍ରତ୍ୟେକ୍ଷ ଭାବେ ଅନୁଭବ କରିଛନ୍ତି ପରିବାରର ସ୍ଥିତି । ଆସନ୍ତୁ ଜାଣିବା ପୂରା ଘଟଣା ।
ଓଡ଼ିଆ ବୀର ବିପିନ ନାୟକ । ଦେଶମାତୃକାର ସୁରକ୍ଷା ପାଇଁ ସଦା ତତ୍ପର । ଝିଅଟିଏ ଜନ୍ମ ହେବା ପରେ ସେ ସମୟ ସୁବିଧା ଦେଖି ଆସିଥିଲେ ଛୁଟିରେ । ଝିଅକୁ ଦେଖିବେ, ପରିବାର ସହ କିଛି ସମୟ ବିତାଇବେ । ପରିବାର ମଧ୍ୟ ତାଙ୍କୁ ଦେଖିବାକୁ ବ୍ୟାକୁଳ ରହିଥିଲେ । ପରସ୍ପରକୁ ଭେଟି ସମସ୍ତେ ଖୁବ୍ ଆନନ୍ଦରେ ଥିଲେ । ହେଲେ ହଠାତ୍ ଆସିଗଲା ଡାକରା । ସୀମା ଭିତରକୁ ମାଡ଼ି ଆସିଲେଣି ଆତଙ୍କବାଦୀ ଆଉ ପାକିସ୍ତାନ ସୈନ୍ୟ । ଏଇ ବେଳାରେ ଦରକାର ଦେଶକୁ ସଜାଗ ଯବାନ । ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିବା ବିପିନ ମଧ୍ୟ ବିଳମ୍ବ କରିନଥିଲେ । କର୍ତ୍ତବ୍ୟର ଆହ୍ୱାନରେ ପରିବାରକୁ ପଛ କରି ଚାଲିଗଲେ ଯୁଦ୍ଧ ପାଇଁ ।
ଏଥର ଶୁଣନ୍ତୁ ବୀର ଯବାନ ବିପିନ ନାୟକଙ୍କ ଝିଅ ସୁଭଦ୍ରା ପ୍ରିୟଦର୍ଶିନୀ କଣ କହୁଛନ୍ତି:
ମୋତେ ୩-୪ ବର୍ଷ ହୋଇଥାଏ । ବାବା ରେଜିମେଣ୍ଟରୁ ଖବର ପାଇ ଆମକୁ ଛାଡ଼ି ଚାଲିଗଲେ । ସେପଟେ କଶ୍ମୀରରେ ଯୁଦ୍ଧ ଆରମ୍ଭ ହୋଇଯାଇଥାଏ ଏକପ୍ରକାର । ଅନୁପ୍ରବେଶ କରିଥାନ୍ତି ଆତଙ୍କବାଦୀ, ପାକ୍ ସୈନ୍ୟ । ରଣକ୍ଷେତ୍ରରେ ପରିଣତ ହୋଇଗଲା କଶ୍ମରର କାର୍ଗିଲ୍ ଜିଲ୍ଲା । ଗର୍ଜୁଥାଏ ସେଠାରେ ଗୁଳିଗୋଳା, ଆଉ ଏଠାରେ ଆମେ ଟିଭି ପାଖରେ ବସିଥାଉ । ମୁଁ ଅପେକ୍ଷା କରିଥାଏ, ବାବା କେବେ ଆସିବେ ଟିଭିରେ ଦେଖିବି! ମୋତେ କି ଜଣାଥାଏ ଏତେସବୁ ଗଭୀର କଥା, ଯୁଦ୍ଧ କଥା! ମୋର ମୋ ବାବା ଦରକାର, ବାସ୍ । କିନ୍ତୁ ସତରେ ବାବା ସେତେବେଳକୁ ଯୁଦ୍ଧରେ ସାମିଲ୍ ହୋଇସାରିଥାନ୍ତି । ଆଉ ଆମ ପରିବାର କେହି ଶାନ୍ତିରେ ଶୋଇପାରୁନଥିଲେ । ଭାରତୀୟ ସେନାର ଅନେକ ସେତେବେଳକୁ ସହିଦ୍ ହୋଇଗଲେଣି । ଜୀବନକୁ ବାଜି ଲଗେଇ ଆହୁରି ଅନେକ ବୀର ଯବାନ ଆହତ ହୋଇଯାଇଥାନ୍ତି । ସେ ଭିତରେ କିଛିଦିନ ବିତିଗଲା, ଯୁଦ୍ଧ ଚାଲିଥାଏ ଅନବରତ । ହେଲେ ହଠାତ୍ ପରିବାରକୁ ଖବର ଆସିଲାଯେ ଆହତ ଯବାନଙ୍କ ମଧ୍ୟରେ ରହିଛନ୍ତି ମୋ ବାବା! ଶତ୍ରୁ ସହ ଘମାଘୋଟ ଲଢ଼େଇ ବେଳେ ଏକ ବିଷ ଛୁରି ବାବାଙ୍କ ହାତ-ଶିରାରେ ବାଜି ଥାଏ । ପାକର ବିଷବୋଳା ବେନଟ୍ ମାଡ଼ରେ ବାବାଙ୍କ ଶରୀରର ୯୦ ପ୍ରତିଶତ ବିଷାକ୍ତ ହୋଇସାରିଥାଏ । ଏସବୁରେ କାଳେ ବଞ୍ଚିବା ଆଶା କ୍ଷୀଣ!
ସେଇ ଫୋନ୍ ରିଂ ପରଠାରୁ ଆଉ ଘରେ କିଏ ଖାଇବା-ପିଇବା କଣ ଭୁଲିଗଲେ । କାହାରି ଆଖିକୁ ନିଦ ନାହିଁ । ମା’ କେବଳ କାନ୍ଦି କାନ୍ଦି ଠାକୁରଙ୍କୁ ଡାକୁଥାଏ । ସେପଟେ ବାବା ଆର୍ମି ହସପିଟାଲ୍ରେ ଭର୍ତ୍ତି ହୋଇଥାନ୍ତି । କିନ୍ତୁ ସେଠାକୁ ଯିବାକୁ ପରିବାର ଲୋକଙ୍କୁ ନଥାଏ ଅନୁମତି । ଆମେ କେବଳ ଅପେକ୍ଷା କରିଥାଉ ଯାହା କିଛି ଭଲ ଖବର ଆସୁ । ଈଶ୍ୱରଙ୍କ ଆଶୀର୍ବାଦ ଅପାର । ଆମ ପରିବାରର ଆକୁଳ ପ୍ରାର୍ଥନା ଶୁଣିଲେ । ବାବା ପାଇଲେ ନୂଆ ଜୀବନ, ସୁସ୍ଥ ହୋଇ ଫେରିଲେ । ଏମିତି ଲୋମଟାଙ୍କୁରା ଅନୁଭୂତି ମୋର ପିଲାଟି ବେଳୁ ରହିଗଲା ଯେ, ଏବେ ବି ଫୋନ୍ ରିଂ ହେଲେ ଦେହ ଟାଙ୍କୁରି ଉଠେ । ଯେବେ କାର୍ଗିଲ୍ ଯୁଦ୍ଧ ଆଉ ମୋ ବାବାଙ୍କ କଥା ପରିବାରର କେହି ବଖାଣନ୍ତି, ମୋ ଆଖିରେ ଆପେ ଆପେ ଲୁହ ବୋହି ଆସେ ।
—
। ବନ୍ଦେ ମାତରଂ, ବନ୍ଦେ ଉତ୍କଳ ଜନନୀ, ଜୟ ଯବାନ ।