(Video) ଅର୍ଯ୍ୟମାଭଙ୍କ ଉଦ୍ଭାବନ ଅଖ୍ୟାତ ପଲ୍ଲୀକୁ ବିଶ୍ୱ ଦରବାରରେ ଦେଇଛି ଖ୍ୟାତି

ମୂତ୍ରାଶୟ କର୍କଟର ଔଷଧ ତିଆରି କରିଛନ୍ତି ଓଡିଆ ପୁଅ; ତାଙ୍କ ଆଗମନ ଗାଁରେ ଭରିଛି ଉତ୍ସାହ, ଉନ୍ମାଦନା

ବାଙ୍କୀ- ଆଜି ମଧ୍ୟ କର୍କଟ ଚିକିତ୍ସା ବିଜ୍ଞାନରେ ଏକ ଅଭେଦ୍ୟ ରୋଗ ହୋଇ ରହିଛି । ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏପରି ସମୟରେ ଜଣେ ଓଡିଆ ପୁଅ ମୁତ୍ରାଶୟ କର୍କଟ ରୋଗ ପାଇଁ ଔଷଧ ତିଆରି କରିଛନ୍ତି । ଏହି ଔଷଧ ବିକଶିତ କରି ସେ ଖାଲି ଆମେରିକାକୁ ନୁହେଁ ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି ।

ବାଙ୍କୀର ବୈଦେଶ୍ୱର ଅଞ୍ଚଳର ବାସିନ୍ଦା ଅର୍ଯ୍ୟମାଭ ପଟ୍ଟନାୟକ । ଆମେରିକାରେ ଜଣେ ଚିକିତ୍ସା ବିଜ୍ଞାନୀଭାବେ କାମ କରୁଥିବା ଅର୍ଯ୍ୟମାଭ ଦୀର୍ଘ ଗବେଷଣା ପରେ ମୂତ୍ରାଶୟ କ୍ୟାନ୍ସରର ଔଷଧ ବିକଶିତ କରିବାରେ ସଫଳ ହୋଇଛନ୍ତି । ଏହି ଚିକିତ୍ସା କାଳରେ ସେ ଉଭୟ ଜୀବିତ ଓ ମୃତ ମୂତ୍ରାଶୟ କ୍ୟାନ୍ସର ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିଥିଲେ ।

କେମିତି ବାହାର କଲେ ଔଷଧ

ପରୀକ୍ଷା କାଳରେ ଜୀବିତଙ୍କ ଭିତରେ ଥିବା ସୁସ୍ଥ ଜିନ ସଂଗ୍ରହ କଲେ । ଏହି ଜିନ ହିଁ ସେମାନଙ୍କୁ କ୍ୟାନ୍ସର ପରି ରୋଗ ସହ ଲଢିବାକୁ କ୍ଷମତା ଯୋଗାଇଥିଲା ତାହା ସେ ଜାଣିପାରିଥିଲେ । ଏହା ପରେ ସେହି ଜିନକୁ ଆଧାର କରି ସେ ଏମିତି ଔଷଧ ପ୍ରସ୍ତୁତ କରିଛନ୍ତି, ଯେଉଁ ଔଷଧ ଶରୀରରେ କ୍ୟାନ୍ସର ଜୀବାଣୁ ପ୍ରତିହତ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଡା ଅର୍ଯ୍ୟମାଭ ପଟ୍ଟନାୟକ ।

ଆମେରିକାରୁ ନିଜ ଜନ୍ମମାଟିକୁ ଆସିବା ଅବସରରେ ଏହି ସୂଚନା ଦେଇଛନ୍ତି ଅର୍ଯ୍ୟମାଭ ।  ତାଙ୍କ ଆଗମନକୁ ନେଇ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ବିଶ୍ୱ ଦରବାରରେ ନିଜ ଅଖ୍ୟାତ ଗାଁକୁ ସ୍ୱତନ୍ତ୍ର ପରିଚୟ ଡ ପଟ୍ଟନାୟକ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି ।