fbpx

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶାର ଦେବଗଡ଼ ଅଞ୍ଚଳର ବିନୟ ଶ୍ରୀକାନ୍ତ ପ୍ରଧାନ ୨୦୧୯ରୁ ଋଷର ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍‌ ଅଫ୍‌ ମିଶନ୍‌ ଭାବେ ଅବସ୍ଥାପିତ ଅଛନ୍ତି । ଏବେ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଆଫଗାନିସ୍ତାନ ଓ ଇରାନ୍‌ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ ସେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ବିଜ୍ଞପ୍ତି ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Get real time updates directly on you device, subscribe now.