ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଭିତିରିଆ କେଉଁ ବଡ଼ ପ୍ଲାନ କରୁଛି BJP ; ବିଜେଡିକୁ ଝଟକା ଦେବାପାଇଁ କରୁଛି ମାଷ୍ଟରପ୍ଲାନ

Odisha Politics:ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସିଧା କହିଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। 

ଭୁବନେଶ୍ୱର: ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସିଧା କହିଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଯଦି ଏବେ ନୁହେଁ ତେବେ କେବେ ? କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ? ରାଜ୍ୟରେ ବିଜେପି ସରକାର ଗଡ଼ିବାର ପ୍ରାୟ ୧ବର୍ଷ ବିତିଗଲାଣି କିନ୍ତୁ ସବୁ ବିଭାଗରେ ମନ୍ତ୍ରୀ ନାହାନ୍ତି ତ ଆଉ କିଏ ଦୁଇ ଦୁଇଟି ବିଭାଗ ମାଡ଼ିବସିଛନ୍ତି। କେବଳ ସେତିକି ନୁହେଁ ଏବେବି ଖାଲି ପଡିଛି ବୋର୍ଡ, ନିଗମ ପଦବୀ।

ଦଳରେ ଆଶାୟୀ ବହୁତ କିନ୍ତୁ ଦଳ କାହାରିଙ୍କୁ ପଦାଧିକାରୀ କରିବାକୁ ଉପଯୁକ୍ତ ସମୟ ବାହାର କରିପାରୁନି। ପୂର୍ବରୁ ଲାଗୁଥିଲା ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ କିନ୍ତୁ ଏବେ ହେବନି ବୋଲି ସିଧା ସିଧା କହିଦେଲେ ମନମୋହନ ।

କିଛିଦିନ ତଳେ ବିଜେପିର ରୁଦ୍ଧଦ୍ବାର ବୈଠକ ବସିଥିଲା। ଯେଉଁଥିରେ ଦୁଇ ମନ୍ତ୍ରୀ, ସାଂସଦ, ପ୍ରଭାରୀ ଏବଂ ରାଜ୍ୟ ସଭାପତି ମଧ୍ୟ ଉପସ୍ଥିତ ଥିଲେ। ବିଜେପିର ବୈଠକ ମାନେ ଆଲୋଚନା ହେବା ସ୍ୱାଭାବିକ କଥା । ସମସ୍ତେ ଭାବିଲେ ଦୁର୍ଗାପୂଜା ପୂର୍ବରୁ  ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସବୁ ସରିଯିବ । ହେଲେ ପ୍ରଭାରୀ ଏବେ କହିଲେ ସବୁ ପ୍ରକ୍ରିୟା ସରିଛି ଟିକିଏ ଅପେକ୍ଷା କରନ୍ତୁ।

ସେପଟେ ଆଜି  ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କଲେ । ମନମୋହନଙ୍କୁ ଦେଖି ସାମ୍ବାଦିକ ମାନେ ଘେରିଗଲେ । ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ସୂଚନା ଦେଲେ କିନ୍ତୁ ମନ୍ତ୍ରୀମଣ୍ଡଳ କଥା କାଟିଦେଲେ । ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। କିନ୍ତୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ହେବାର ସମ୍ଭାବନା ନାହିଁ।

ବାରମ୍ବାର ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି। ଦଳରେ କର୍ମୀମାନେ ବି ଆଶାରେ ଅଛନ୍ତି । କିନ୍ତୁ ମନ୍ତ୍ରୀମଣ୍ଡଳ ବାଣ୍ଟିବାରେ କେଉଁଠି ନା କେଉଁଠି ବିଜେପିର  ଅଙ୍କ ଛିଣ୍ଡି ପାରୁନି। ଏବେ ଯାହା ଲାଗୁଛି  ବିଜେପି ଫୋକସରେ ଏବେ ନୂଆପଡା ଉପନିର୍ବାଚନ ଅଛି। କିଭଳି ନୂଆପଡା ଆସନକୁ ବିଜେଡି  ହାତରୁ ଛଡାଇ ଆଣିବ ତାହାପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛି । ଆଉ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନୂଆପଡା ଉପନିର୍ବାଚନ ପରେ ହେବ ବୋଲି ଆଶା କରାଯାଉଛି ।