fbpx

ବଡ଼ ଖବର… ଲକ୍ଷେ ଓଡ଼ିଆଙ୍କୁ ଚାକିରି ଦେବେ ରାଜ୍ୟ ସରକାର! ଓଡ଼ିଶାରେ ନିଯୁକ୍ତି ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଯଥାଶୀଘ୍ର ଏହି ଖାଲିସ୍ଥାନରେ ନୂଆ ପିଯୁକ୍ତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପରୀକ୍ଷା ପଦ୍ଧତିରେ ମଧ୍ୟ ସଂସ୍କାର ଆଣିବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ନେଇ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ସୂଚନା ଦେଇଛି ସାଧାରଣ ପ୍ରଶାସନ ବିଭାଗ । ପରୀକ୍ଷାରେ ଲାଗୁ ହେଉଥିବା ବିଭିନ୍ନ ଅନାବଶ୍ୟକ ନିୟମଗୁଡ଼ିକୁ ହଟାଇବା ସହ ନିଯୁକ୍ତି ପ୍ରକ୍ରିୟାରେ ସରଳତା ଆଣିବାକୁ କୁହାଯାଇଛି । ଗତ ୩ ତାରିଖରେ ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ ବର୍ତ୍ତମାନ ଏଥିରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ନିଯୁକ୍ତି ପ୍ରିକ୍ରୟାକୁ ସରଳ କରିବା ସହ ପ୍ରଚଳିତ କ୍ୟାଡର ଏବଂ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ ଅଧୀନରେ ସମାନ ଯୋଗ୍ୟତା ଥିବା ପଦବୀ ପାଇଁ ଏକକ ପରୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ନେଇ ସମୀକ୍ଷା କରିବା ପରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।

ଏହାମଧ୍ୟରେ ୮୦ ହଜାରରୁ ଅଧିକ ସରକାରୀ ପଦ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ବିଭିନ୍ନ ବିଭାଗରେ ପ୍ରାୟ ୧ ଲକ୍ଷ ୩୪ ହଜାର ୬୭ ପଦବୀ ଖାଲି ରହିଥିବା ବେଳେ ଏହିସବୁ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ରାଜ୍ୟ ସରକାର । ତେବେ ବର୍ତ୍ତମାନ ୯୩ ହଜାର ୫୨୪ ପଦବୀ ପାଇଁ କମିଟି ତରପରୁ ଅନୁମୋଦନ ମିଳିଛି । ଏଥିରୁ ୮୦ ହଜାର ୧୭୩ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ମଧ୍ୟରେ ନିଯୁକ୍ତି ନିୟମ ସମୀକ୍ଷା ବିଭାଗୀୟ ସଚିବଙ୍କୁ କରିବାକୁ କୁହାଯାଇଛି ।

ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ କିଛି ଅନାବଶ୍ୟକ ପରୀକ୍ଷା ମଧ୍ୟ କରାଯାଉଛି । ଜଣେ ପଶୁଧନ ନିରୀକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ସାଇକେଲ ଚାଳନା ପରୀକ୍ଷା ଦେବାକୁ ପଡୁଛି। ଯାହା ଆଜି ନିରର୍ଥକ। ସମୀକ୍ଷା ବେଳେ ଏହିସବୁ ପ୍ରାସଙ୍ଗିକତା ନଥିବା ପରୀକ୍ଷାକୁ ହଟାଇ ଏକକ ପରୀକ୍ଷା ବ୍ୟବସ୍ଥା କରିବାକୁ ସ୍ଥିର କରିଛନ୍ତି ସରକାର।ଏହାଦ୍ୱାରା ପ୍ରାର୍ଥୀ ଚୟନ ସହଜ ହେବ ଏବଂ ସମୟ ମଧ୍ୟ ବଞ୍ଚିପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.