ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ନେଇ ଗୃହରେ ଉତ୍ତର ରଖିଲେ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳୁଛି
। ଏନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ଜେଡ ପ୍ଲସ, ମୋହନ ମାଝୀଙ୍କୁ ଜେଡ୍ ପ୍ଲସ ଏବଂ ନବୀନ ପଟ୍ଟନାୟକଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଉଛି । ଏହି 3ଜଣଙ୍କ ବ୍ୟତୀତ ଆଉ କାହାରିକୁ ଏହି ସୁରକ୍ଷା ପ୍ରଦାନ କରାଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେତେବେଳେ ନବୀନ ପଟ୍ଟନାୟକ କ୍ଷମତାରେ ରହିଥିଲେ, ସେ ସେତେବେଳେ ଆବଶ୍ୟକତା ଠାରୁ ଅଧିକଙ୍କୁ ସୁରକ୍ଷାରେ ନିୟୋଜିତ କରାଯାଇଥିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା । ପାଣ୍ଡିଆନ ଜଣେ ଅଫିସର ହୋଇ ମଧ୍ୟ କାହିଁକି ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ପ୍ରଶ୍ନ କରାଯାଉଥିଲା । କିନ୍ତୁ ସରକାର ବଦଳିବା ପରେ ଏହି ସମସ୍ତ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇ ଥିଲା । ବର୍ତ୍ତମାନ ରାଜ୍ୟରେ କାହାକୁ କେଉଁ ସୁରକ୍ଷା ଯୋଗାଇ ଦିଆଯାଇଛି, ସେନେଇ ଉତ୍ତର ରଖିଛନ୍ତି ମୋହନ ମାଝୀ ।