ରାଜ୍ୟରେ ଖୋଲିବ ୨ଟି ନୂଆ OISF ବାଟାଲିୟନ୍, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

୨ ନୂଆ OISF ବାଟାଲିୟନ୍ ପାଇଁ ସୃଷ୍ଟି ହେବ ୧୯୪୪ ନିଯୁକ୍ତି ।

ଭୁବନେଶ୍ବର: ଓଡ଼ିଶାରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ ସୃଷ୍ଟି କରାଯାଇଛି । ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ଟି ପଦବୀ ଆଉଟସୋର୍ସିଂ ଭିତ୍ତିରେ ସୃଷ୍ଟି କରାଯାଇଛି ।

ଏହି ଦୁଇଟି ନୂଆ ବାଟାଲିଆନକୁ 3 ଏବଂ 4 ନମ୍ବରରେ ନାମିତ କରାଯିବ । ପୂର୍ବରୁ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା ।

ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବା ପରେ ଓଆଇଏସଫରେ ସମୁଦାୟ ପଦବୀ ସଂଖ୍ୟା ୪୯୨୭ ପଦବୀ ସୃଷ୍ଟି ହେଲା । ଏହା ଦ୍ବାରା କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଡ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ସବ୍‌ ଇନ୍‌ସପେକ୍ଟର ଭଳି ପଦବୀରେ ନିଯୁକ୍ତି ମିଳିବ ।

ଉତ୍କର୍ଷ ଓଡ଼ିଶା-ମେକ୍‍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଫଳରେ ଏହାକୁ ସୁରକ୍ଷା ଦେବା ମଧ୍ୟ ଜରୁରୀ ହୋଇ ପଡିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦୁଇଟି ବାଟାଲିଅନ ଗଠନ ପ୍ରସ୍ତାବକୁ ମଞ୍ଜୁୁରୀ ଦେଇଛନ୍ତି ।