fbpx

କୋଭିଡ୍ ଆମକୁ ବହୁତ କିଛି ଶିକ୍ଷା ଦେଇଛି: ମହାମାରୀକୁ ନେଇ ରାଜ୍ୟ ସରକାର ଆରମ୍ଭ କରିବେ ରିସର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀ ଦୁଇବର୍ଷ ଧରି ମାନବ ସମାଜକୁ କବଳିତ କରି ରଖିଥିଲା । ତେବେ ବର୍ତ୍ତମାନ ମଧ୍ୟ କୋଭିଡର ଆଶଙ୍କା ହ୍ରାସ ପାଇନାହିଁ । କୋଭିଡ୍ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା ବେଳେ କିଛି ରାଷ୍ଟ୍ରକୁ ଦେବାଳିଆ କରିଦେଇଛି । ତେବେ ଏସବୁ ମଧ୍ୟରେ କୋଭିଡ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗବେଷଣା କରାଯିବ ।

ତେବେ ଏହି ଗବେଷଣା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହେବ । କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟସେବାକୁ ନେଇ ନୂଆ ନୂଆଦିଗ ଉନ୍ମୋଚିତ ହୋଇଥିଲା । କୋଭିଡ୍, ଅଣକୋଭିଡ୍ ରୋଗ ସବୁକୁ କରୋନା ମହାମାରୀ ବିଗାଡ଼ି ଦେଇଥିଲା । ଅପ୍ରତ୍ୟାଶିତ ଭାବେ ସୃଷ୍ଟି ହୋଇଥିବା ଏହି ରୋଗକୁ ନିୟନ୍ତ୍ରଣ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ଉଭା ହୋଇଥିଲା ।

ତେବେ କୋଭିଡ୍ ମହାମାରୀ ବହୁତ କିଛି ଶିକ୍ଷା ଦେବାରେ ସହାୟକ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଆରଏମଆରସି, ଜୀବ ବିଜ୍ଞାନ ପ୍ରତିଷ୍ଠାନ, ସରକାରୀ ମେଡିକାଲ କଲେଜ ଓ ଏମ୍ସର ବିଶେଷଜ୍ଞ ସାମିଲ ହେବେ ।

ବିରଳ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାର କେନ୍ଦ୍ର ଢାଞ୍ଚାରେ ନୀତି ପ୍ରଣୟନ କରିବେ । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଗବେଷଣା ସଂସ୍ଥାକୁ ସାମିଲ କରାଯାଇଛି । ଅନୁରୂପ ଭାବେ ମହାମାରୀ ସମ୍ପର୍କୀତ ସ୍ୱାସ୍ଥ୍ୟ ଆହ୍ୱାନ ପାଇଁ ସ୍ପେଶାଲ ଭାବେ ଗବେଷଣା କରାଯିବ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଏହାର ରଣନୀତି ଓ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.