ଜାତୀୟ ତୁଳନାରେ ଓଡ଼ିଶାରେ ବାଲ୍ୟ ବିବାହ ହାର କମ୍, କାମ ଦେଉଛି ବ୍ୟାପକ ସଚେତନତା

ଭୁବନେଶ୍ୱର: ବାଲ୍ୟ ବିବାହକୁ ଆଇନ ଅମାନ୍ୟ କରାଯାଇଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ଲୁଚା ଛପାରେ ଚାଲିଛି । ରାଜ୍ୟ ତଥା ଦେଶର ଅନେକ ଗ୍ରାମାଞ୍ଚଳରେ ଏହି ବାଲ୍ୟ ବିବାହ ପ୍ରଥା ପରମ୍ପରା ଚାଲିଛି । ତେବେ ଏହି ସଂଖ୍ୟା ଜାତୀୟ ତୁଳନାରେ ରାଜ୍ୟରେ ହ୍ରାସ ପାଇବା ଦେଖାଦେଇଛି । ୧୮ ବର୍ଷ ପୂର୍ବରୁ ଝିଅମାନଙ୍କୁ ବିବାହ କରାଯିବାକୁ ନେଇ ବ୍ୟାପକ ସଚେତନତା କାର୍ଯ୍ୟକାରୀ ହେଉଥିବା ଦେଖାଦେଇଛି ।

୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ଦେଶରେ ୫୧,୫୭,୮୬୩ ନାବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରିଥିଲେ । ଏଥିରେ ୨.୫୯ ଲକ୍ଷ ଓଡ଼ିଶାର ଥିଲେ । ତେବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବକ୍ଷେଣର ୨୦୧୯-୨୧ ରିପୋର୍ଟ ଅନୁଯାୟୀ, ୨୦-୨୪ ବର୍ଷୀୟ ମହିଳାଙ୍କ ମଧ୍ୟରେ ଜାତୀୟ ସ୍ତରରେ ୨୩.୩ ପ୍ରତିଶତଙ୍କ ବିବାହ ୧୮ ବର୍ଷ ପୂର୍ବରୁ ହୋଇଥିଲା । କିନ୍ତୁ ଏକ୍ଷେତ୍ରରେ ଓଡ଼ିଶାର ହାର କମ ରହିଛି । ଏହି ସମୟରେ ଓଡ଼ିଶାର ସମାନ ବୟସ ବର୍ଗର ୨୦.୫ ପ୍ରତିଶତ ମହଳା ୧୮ ବର୍ଷ ପୂର୍ବରୁ ବିବାହ କରିଥିଲେ । ଏନେଇ ବିଶିଷ୍ଟ ଶିଶୁ ସୁରକ୍ଷା କର୍ମୀ ତଥା ଲେଖକ ଭୁବରିଭୂ ନିଜ ପୁସ୍ତକରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ତଥା ଦେଶରେ ବାଲ୍ୟ ବିବାହକୁ ନେଇ ସଚେତନତା ବ୍ୟାପକ କରାଯାଇଛି । କିଶୋରୀ ମାନଙ୍କୁ ସଚେତନ କରିବା ସହ ଜୀବିକା ଅର୍ଜନ ପାଇଁ ସିଲେଇ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ଏନେଇ ଜିଲ୍ଲା ସ୍ତରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀମାନଙ୍କୁ ସଜାଗ ରହିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।