ମାତୃଭାଷାରେ ହେବ ପାଠପଢ଼ା, ନିଯୁକ୍ତ ହେବେ ନୂଆ ଶିକ୍ଷକ, ତିଆରି ହେବ ନୂଆ ଶ୍ରେଣୀଗୃହ
ଆସନ୍ତା ଶିକ୍ଷା ବର୍ଷରୁ ଏଇପି । ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ।
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି (ଏନଇପି) ଅନୁସାରେ, ମାତୃଭାଷାରେ ଶିକ୍ଷାଗ୍ରହଣ କଲେ ଶିଶୁର ବୌଦ୍ଧିକ ବିକାଶ ହୁଏ । ଜ୍ଞାନ ବୃଦ୍ଧି ପାଏ । ଅନ୍ୟ ଭାଷା ଶିଖିବା ପାଇଁ ମଧ୍ୟ ଏହି ମାତୃଭାଷା ସୁଯୋଗ ଦିଏ ।
ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଏନଇପି ଲାଗୁ ହେବ । ଏ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛି । ଏଥିରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ(ଏଫଏଲଏନ)କୁ ଗୁରୁତ୍ୱ ଦିଆଯାଇଛି ।
ନୂଆ ଶିକ୍ଷକ: ଏଥିପାଇଁ ସ୍କୁଲଗୁଡ଼ିକରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତ ହେବେ । ଏଫଏଲଏନ କ୍ଲାସ ମଧ୍ୟ ହେଉଛି । ଏଥିସହ ନିକଟରେ ସରକାରଙ୍କ ପକ୍ଷରୁ ଭାଷା ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷାରେ ମାତୃଭାଷା ଓଡ଼ିଆରେ ପାଠ୍ୟପୁସ୍ତକ ମଧ୍ୟ ପ୍ରସ୍ତୁତି କରାଯାଇଛି ।
ଏନଇପି ଦ୍ୱାରା ସ୍କୁଲରେ ପାଠପଢ଼ା ସ୍ଥାନୀୟ ଭାଷାରେ କରାଯିବ । ଏହାକୁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଅନୁସରଣ କରିବେ । ମାତୃଭାଷାରେ ସମସ୍ତ ପ୍ରକାରର ପାଠ୍ୟପୁସ୍ତକ ଉପଲବ୍ଧ କରାଯିବ ।
ଓଡ଼ିଆ ବହି ପ୍ରକାଶିତ: ଏନଇପି ଲାଗୁ ପୂର୍ବରୁ ସରକାରଙ୍କ ତରଫରୁ ୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିରୁ ୫୯୬ ଜଣ ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ନଯୁକ୍ତ ହେବେ । ଇଗ୍ନୋ ପକ୍ଷରୁ ଏମବିଏ ପାଠ୍ୟପୁସ୍ତକ ଓଡ଼ିଆ କରାଯାଇଛି । ପୂର୍ବରୁ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଓଡ଼ିଆରେ ପ୍ରସ୍ତୁତ କରାଯାଇ ପ୍ରକାଶ ହୋଇସାରିଛି ।
ଆଜି ରାଜ୍ୟର ସମସ୍ତ ସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବ ।