ମନ୍ତ୍ରୀମାନଙ୍କୁ କାର୍ଯ୍ୟଦକ୍ଷତା ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ; ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର: ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗର କାର୍ଯ୍ୟଦକ୍ଷତା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କୁହାଯାଇଛି।
ପ୍ରତ୍ୟେକ ମନ୍ତ୍ରୀଙ୍କୁ ପ୍ରାୟ ୧୦ଟି ନିର୍ଦ୍ଦିଷ୍ଟ ବିଷୟକୁ ଆଧାର କରି ସେମାନଙ୍କ ବିଭାଗର କାର୍ଯ୍ୟଦକ୍ଷତା ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ସମସ୍ତ ବିଭାଗକୁ ଏକ ଆନୁଷ୍ଠାନିକ ଫର୍ମାଟ ପଠାଯାଇଛି। ଏହି ଫର୍ମାଟ ଅନୁଯାୟୀ, ମନ୍ତ୍ରୀମାନଙ୍କୁ ମେ’ ମାସ ପର୍ଯ୍ୟନ୍ତ ସେମାନଙ୍କ ବିଭାଗର ଉପଲବ୍ଧି ଏବଂ ଆଗାମୀ ମାସଗୁଡ଼ିକ ପାଇଁ ରୋଡମ୍ୟାପ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟରେ ମନ୍ତ୍ରୀମାନଙ୍କୁ ସେମାନେ କେତୋଟି ଜିଲ୍ଲା ପରିଦର୍ଶନ କରି ସମୀକ୍ଷା କରିଛନ୍ତି, କ’ଣ ପ୍ରଶାସନିକ ନିଷ୍ପତ୍ତି ନେଇଛନ୍ତି ଏବଂ କାର୍ଯ୍ୟାନ୍ୱୟନରେ କେଉଁ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି, ତାହା ଉଲ୍ଲେଖ କରିବାକୁ କୁହାଯାଇଛି। ଏହା ସହିତ, ସେମାନେ କେତେ ଜନସାଧାରଣଙ୍କ ଅଭିଯୋଗ ଶୁଣି ସେଗୁଡ଼ିକର ସମାଧାନ କରିଛନ୍ତି, ତାହା ମଧ୍ୟ ରିପୋର୍ଟରେ ଅନ୍ତର୍ଭୁକ୍ତ ହେବ।
ମନ୍ତ୍ରୀମାନଙ୍କ ସୋସିଆଲ ମିଡ଼ିଆ ଆକ୍ଟିଭିଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଫେସବୁକ, ଏକ୍ସ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ସେମାନେ କେତେ ପୋଷ୍ଟ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ୟୁ ମାଝୀଙ୍କ ପୋଷ୍ଟଗୁଡ଼ିକୁ କେତକେ ସେୟାର କରିଛନ୍ତି, ତାହାର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।