fbpx

ରାଜ୍ୟରେ ବଢୁଛି ମାଛ ଚାଷ: ବନ୍ଦ ହେବ ଆମଦାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢୁଛି ମାଛ ଉତ୍ପାଦନ। ଖୁବ ଶୀଘ୍ର ମାଛ ଆମଦାନୀରେ ବ୍ରେକ ଲଗାଇବା ଓଡିଶା । ଏକଥା ଆମେ କହୁନୁ ଏହା ରିପୋର୍ଟ କହୁଛି। ବିଶ୍ଵ ମସ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱର ରେଳ ଓଡି଼ଟରୀଅମରେ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଏପରି କିଛି ତଥ୍ୟ ଦେଇଛନ୍ତି। ମନ୍ତ୍ରୀଂଙ୍କ ତଥ୍ୟ ମୁତାବକ ମାଛ ଲାଗି ଓଡ଼ିଶାର ବ୍ୟବସାୟୀ ଆଉ ଆନ୍ଧ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁ ନାହାନ୍ତି। ମାଛ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ସାଙ୍ଗକୁ ସାମୁଦ୍ରିକ ମାଛ ଧରା ଉପରେ କଟକଣା କୋହଳ ହେତୁ ଓଡ଼ିଶାର ମାଛ ଉତ୍ପାଦନ ବହୁ ଆଗକୁ ବଢ଼ିଛି। ୨୦୦୦-୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ୨.୫୯ ଲକ୍ଷ ମେଟ୍ରିକ୍‌ ଟନ୍‌(ଏମ୍‌ଟି) ମାଛ ଉତ୍ପାଦନ ହେଉଥିଲା। ଧୀରେ ଧୀରେ ତାହା ବୃଦ୍ଧି ପାଇ ୨୦୧୦-୧୧ରେ ୩.୮୬ ଲକ୍ଷ ଏମ୍‌ଟିରେ ପହଞ୍ଚିଥିଲା। ମାତ୍ର ଗତ ଦଶ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ଦୁଇଗୁଣା ହୋଇଛି। ୨୦୨୦-୨୧ରେ ମାଛ ଉତ୍ପାଦନ ୮.୩୧ ଲକ୍ଷ ଏମ୍‌ଟିରେ ପହଞ୍ଚିଛି। ତାହାକୁ ନଜରରେ ରଖି ଆଗକୁ ଆହୁରି ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସାମୁଦ୍ରିକ ମାଛ ଉତ୍ପାଦନଠାରୁ ମାଛ ଚାଷରୁ ଅଧିକ ମାଛ ଓଡ଼ିଶାରୁ ବାହାରୁଛି। ଏମିତିକି ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି ଘଟିଛି। ୨୦୦୦-୦୧ ଆର୍ଥିକ ବର୍ଷରେ ଚାଷରୁ ୧.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହେଉଥିଲା। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୨୦୧୦-୧୧ରେ ୨.୫୨ ଲକ୍ଷ ଏମ୍‌ଟିରେ ପହଞ୍ଚିଥିଲା। ତେବେ ଏ‌ହାର ପରବର୍ତୀ ସମୟରେ ୨୦୨୦-୨୧ ବର୍ଷରେ ୭ ଲକ୍ଷରୁ ଅଧିକ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ମଧୁର ଜଳରେ ଅଧିକ ମାଛ ଉତ୍ପାଦନ ହେଉଛି। ୨୦୦୦-୦୧ରେ ମଧୁର ଜଳରୁ ୧.୨୫ ଏମ୍‌ଟି ମାଛ ଉତ୍ପାଦନ ହୋଇଥିଲା, ଯାହାକି ୨୦୨୦-୨୧ରେ ୫.୭୪ ଏମ୍‌ଟିରେ ପହଞ୍ଚିଛି। ଅର୍ଥାତ୍‌ ୨୦ ବର୍ଷ ମଧ୍ୟରେ ମଧୁର ଜଳରେ ମାଛ ଉତ୍ପାଦନ ୪ ପ୍ରତିଶତରୁ ଅଧିକ ବଢ଼ିଛି। ବିଶେଷକରି ୨୦୧୩-୧୪ ପରେ ମଧୁର ଜଳରେ ମାଛ ଚାଷ ବହୁ ପରିମାଣରେ ବଢ଼ିଛି।

କେନ୍ଦ୍ର ସରକାର ମଧ୍ୟ ଦେଶରେ ମାଛ ଉତ୍ପାଦନ ବୃଦ୍ଧି ଲାଗି ୨୦୨୦ରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା(ପିଏମଏମଏସୱାଇ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷ ଅର୍ଥାତ୍‌ ୨୦୨୪-୨୫ ସୁଦ୍ଧା‌ ୨୨ ନିୟୁତ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି। ଏବେ ଦେଶରୁ ବାର୍ଷିକ ୧୫ ନିୟୁତ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହେଉଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଯୋଗ ଦେଇଥିଲେ।

Get real time updates directly on you device, subscribe now.