ଓଡିଶା ଭାସ୍କର; ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ଭାରତ ପାଇଁ ଥିଲା ଏକ ଐତିହାସିକ ମୁହୂର୍ତ୍ତ । ଆମେରିକା, ଚୀନ, ଜାପାନ ପରି ବିଶ୍ୱର ମହାଶକ୍ତିମାନେ ଯାହା କରିପାରିନଥିଲେ ତାହା ଆଜି ଭାରତ କରି ଦେଖାଇଛି । ସନ୍ଧ୍ୟା ୬ଟା ୪ ମିନିଟ ସମୟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଲାଣ୍ଡିଂ କରିଥିଲା । ଭାରତ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପହଞ୍ଚି ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି ।
ସେହିପରି ଚନ୍ଦ୍ରପୃଷ୍ଠରେ ପାଦ ରଖି ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । ବର୍ତମାନ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଭାରତ ପଠାଇଥିବା ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ନିଜର କାର୍ୟ୍ୟ ପରିଚାଳନା କରୁଛନ୍ତି । ଯାହାକୁ ନେଇ ସାରା ବିଶ୍ୱରେ ଭାରତ ପ୍ରମାଣିତ କରି ଦେଖାଇଛି ଯେ, “ହମ୍ ଭି କିସେସେ କମ୍ ନେହିଁ ‘। ଭାରତର ଏହି ବଡ଼ ସଫଳତାକୁ ନେଇ ସାରା ଦେଶବାସୀ ଗର୍ବ କରୁଥିବା ବେଳେ ଏଥିରେ ଓଡ଼ିଶାର ରହିଛି ଅନେକ ଅବଦାନ । ଯାହା ଆଜି ଓଡିଶା ମାଟି ସାରା ଦେଶରେ ପ୍ରତି ଓଡ଼ିଆଙ୍କୁ ଗୌରାବାନ୍ୱିତ କରିଛି । କାରଣ ଚନ୍ଦ୍ରାୟନ-୩ ମିଶନରେ ଏକାଧିକ ଓଡ଼ିଆ ବୈଜ୍ଞାନିକ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଚନ୍ଦନନଗର-ବାଲିଆ ଗ୍ରାମର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର ଥିଲେ । ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଯୋଜନା ଓ ସମନ୍ଵୟ ବିଭାଗରେ କାର୍ୟ୍ୟ କରୁଛନ୍ତି । ସେହିପରି ହିଞ୍ଜିଳିର ମହେନ୍ଦ୍ର ବେହେରା ୨୦୧୮ରୁ ଇସ୍ରୋରେ କାମ କରୁଛନ୍ତି । ଚନ୍ଦ୍ରାୟନ ମିଶନ ସହିତ ବାଲେଶ୍ଵର ମାନସିଂ ବଜାରର ମାନସ ଭଦ୍ରା ମଧ୍ୟ ଜଡ଼ିତ ଥିଲେ । ସେ ଇସ୍ରୋ ରିସର୍ଚ୍ଚ ଆଣ୍ଡ ପ୍ଲାନିଂ ଟିମ୍ ରେ କାମ କରନ୍ତି ।
ଅନ୍ୟପଟେ ରୋଭର ହ୍ୱିଲଠାରୁ ଆରମ୍ଭ କରି ୭୫ ହଜାର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ରେ ନିର୍ମିତ ହୋଇଛି । ଯାହାକୁ ନେଇ ସିଟିଟିସିର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ମିଶନ ସଫଳ ହେବାପରେ ବୈଜ୍ଞାନିକ ଖୁସି ପ୍ରକାଶ କରିବା ସହ ୪ ବର୍ଷ ଅକ୍ଳାନ୍ତ ପରିଶ୍ରମର ଫଳ ମିଳିଥିବା କହିଛନ୍ତି । ଏହି ମିଶନ ପାଇଁ କାମ କରି ଜଣେ ଓଡ଼ିଆ ଭାବେ ନିଜକୁ ଧନ୍ୟ ମନେ କରିଛନ୍ତି ।
ସୂଚନା ଥାଉକି, ଇସ୍ରୋର ପରବର୍ତ୍ତୀ ଶୁକ୍ର, ଆଦିତ୍ୟ ଓ ଗଗନାୟନ ମିଶନ ପାଇଁ ମଧ୍ୟ ଉଞଞଉରେ ଯନ୍ତ୍ରାଂଶ ନିର୍ମାଣ ହେବା ସହ ପାଖାପାଖି ୮୦ ପ୍ରତିଶତ ଯନ୍ତ୍ରାଂଶ ପ୍ରେରଣ ହୋଇଛି । ଏହାସହିତ ୨୦୨୪ ରେ ଅନ ମ୍ୟାନ ମିଶନ ପାଇଁ ମଧ୍ୟ ଯନ୍ତ୍ରାଂଶ ନିର୍ମାଣ ଜାରି ରହିଛି । ୨୦୨୫ ମସିହା ଶେଷ ବେଳକୁ ମ୍ୟାନ ମିଶନ ପାଇଁ ଯୋଜନା ରଖିଛି ଇସ୍ରୋ।